ନୂଆଦିଲ୍ଲୀ: ଅମୃତସରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା 'କର୍ମଭୂମି ଏକ୍ସପ୍ରେସ୍'ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରାଜପୁରା ରେଳ ଷ୍ଟେସନରେ ନିକଟରେ ଟ୍ରେନ୍ ନମ୍ବର ୧୨୪୦୮ରେ ନିଆଁ ଲାଗିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରାୟ ଚାରୋଟି ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ରେଳ ବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ରାଜପୁରା ନିକଟସ୍ଥ ସରାଇ ବଞ୍ଜାରା ଅଞ୍ଚଳରେ ୫ ନଂ ବଗିରେ ନିଆଁ ଲାଗିଥିବା ଯାତ୍ରୀମାନେ ଦେଖିଥିଲେ । ଏହା ପରେ ତୁରନ୍ତ ଟ୍ରେନକୁ ଅଟକାଯାଇଥିଲା । ଖବର ପାଇବା ପରେ ରେଳ ଅଧିକାରୀ ଏବଂ ସମ୍ପୃକ୍ତ କର୍ମଚାରୀମାନଙ୍କୁ ତୁରନ୍ତ ସତର୍କ କରାଯାଇଥିଲା। ବଗିଗୁଡ଼ିକ ମଧ୍ୟରେ ଧୂଆଁ ବ୍ୟାପିଯିବାରୁ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଅନେକ ଯାତ୍ରୀ ନିଜର ସାମଗ୍ରୀ ସହିତ ବଗିରୁ ବାହାରି ଆସିବାକୁ ଚେଷ୍ଟା କରିଥିଲେ। ରେଳ ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି । ନିଆଁକୁ ଅନ୍ୟ ବଗିଗୁଡ଼ିକରେ ବ୍ୟାପିବାରୁ ରୋକିବା ଏବଂ ଅନ୍ୟ ବଗିଗୁଡ଼ିକୁ କ୍ଷତିଗ୍ରସ୍ତ ହେବାରୁ ରକ୍ଷା କରିବା ପାଇଁ ରେଳ କର୍ତ୍ତୃପକ୍ଷ ପ୍ରଭାବିତ ବଗିଗୁଡ଼ିକୁ ଟ୍ରେନ୍ରୁ ଅଲଗା କରିଦେଇଛନ୍ତି। ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଖବର ଲେଖା ଯିବା ବେଳକୁ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଥିଲା ।
ଜିଆରପି ଏସ୍ଏଚ୍ଓ ଗୁରପ୍ରୀତ ସିଂହ କହିଛନ୍ତି ଯେ, ଟ୍ରେନ୍ର ଏକ ବଗି ଭିତରେ ଥିବା ଏକ ପଙ୍ଖାରେ ଶର୍ଟ ସର୍କିଟ୍ ହେବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ରଥମେ ଗୋଟିଏ ବଗିରେ ନିଆଁ ଲାଗିଥିଲା ଏବଂ ପରେ ତାହା ଅନ୍ୟ ବଗିଗୁଡ଼ିକରେ ବ୍ୟାପି ଯାଇଥିଲା।
ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚାରୋଟି ଟ୍ରେନର ଗତି ପଥ ପରିବର୍ତ୍ତନ କରାଯାଇଛି । ସାନେହୱାଲ ଏବଂ ଅମ୍ବାଲା ମଧ୍ୟରେ ଥିବା ରେଳ ମାର୍ଗରେ ପରିବର୍ତ୍ତନ କରାଯାଇଛି। ଏହି ଘଟଣା ଯୋଗୁଁ ଅନେକ 'ଡାଉନ୍' ଏବଂ 'ଅପ୍' ଟ୍ରେନ୍ର ଗତିପଥ ବଦଳାଇ ଦିଆଯାଇଛି। ଡାଉନ୍ ଟ୍ରେନ୍ ଯଥା- ୧୪୬୮୦, ୦୪୬୫୨, ୧୮୧୦୪, ୧୨୯୨୦ ଏବଂ ୧୪୬୭୪ର ଗତିପଥ ବଦଳାଯାଇଛି । ସେହିପରି ଅପ୍ ଟ୍ରେନ୍ ୧୨୩୨୫, ୦୫୭୩୬ ଏବଂ ୧୪୫୦୧ ମଧ୍ୟ ରୁଟ୍ ବଦଳିଛି । ରେଳ ଚଳାଚଳକୁ ସୁରୁଖୁରୁରେ ଜାରି ରଖିବା ପାଇଁ, ଏହି ସମସ୍ତ ଟ୍ରେନ୍କୁ ଚଣ୍ଡିଗଡ଼, ସିରହିନ୍ଦ ଏବଂ ଲାଲକାର କଲାନ ଭଳି ବିକଳ୍ପ ମାର୍ଗ ଦେଇ ଚଳାଚଳ କରାଯାଉଛି।