କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଅନେକ ନବନିର୍ମିତ ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହିତ ପ୍ରସ୍ତାବିତ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଧରଣୀଧର ମେଡ଼ିକାଲ୍ କଲେଜରେ ୫୮କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଏକ ୭ମହଲା ବିଶିଷ୍ଟ ଡେଣ୍ଟାଲ୍ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ତୃତୀୟ ପର୍ଯ୍ୟାୟରେ ୬୩୦ଟି ବିଦ୍ୟାଳୟର ଭିତ୍ତି ପ୍ରସ୍ତର କେନ୍ଦୁଝର ମାଟିରୁ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ, ଧରଣୀଧର ଦକ୍ଷିଣ କ୍ୟାମ୍ପସ୍ ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ, ଧରଣୀଧର ମେଡ଼ିକାଲ୍ କଲେଜରେ ମଧ୍ୟ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ଏଥିସହିତ, ୫.୫୬ ଏକର ପରିମିତ ବିଶାଳ ଜମିରେ, ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଟେକ୍ ବିଜନେସ୍ ପାର୍କ, ଯାହା ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ଓ ଭବ୍ୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ହେବ, ତାର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ପ୍ରାଥମିକ ଶିକ୍ଷା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ପ୍ରଥମେ ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ପହଞ୍ଚିଥିଲେ । ଏଠାରେ ସେ ଏକାଡେମିକ୍ ବିଲ୍ଡିଂ, ଆଡମିନିଷ୍ଟ୍ରେଟିଭ୍ ବିଲ୍ଡିଂ ଏବଂ ହଷ୍ଟେଲ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ତା’ସହିତ ମାଳିଗାଁ ଠାରେ ଗୋଟିଏ ଟେକ୍-ବିଜିନେସ୍ ପାର୍କ ପାଇଁ ଭୂମି ପୂଜନ କରିଥିଲେ । ୫.୫୬ ଏକର ପରିମିତ ବିଶାଳ ଜମିରେ, ୨୩୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବିଜନେସ୍ ପାର୍କ ଉତ୍ତର ଓଡ଼ିଶାର ସବୁଠାରୁ ଆଧୁନିକ ଓ ଭବ୍ୟ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବେ ପ୍ରତିଷ୍ଠା ହେବ ।
ଏହାପରେ ଧରଣୀଧର ମେଡ଼ିକାଲ୍ କଲେଜରେ ୫୮କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ଏକ ୭ମହଲା ବିଶିଷ୍ଟ ଡେଣ୍ଟାଲ୍ କଲେଜ ଏବଂ ୬୩ କୋଟି ଟଙ୍କା ବ୍ୟୟରେ ୧୦ ମହଲା ବିଶିଷ୍ଟ ନର୍ସିଙ୍ଗ୍ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମହିଳାଙ୍କ ନିମନ୍ତେ ୧୦ କୋଟି ଟଙ୍କା ବିନିଯୋଗରେ ଏକ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ଲୋକାର୍ପଣ କରିଥିଲେ । ଏଥିସହିତ ୩୨ କୋଟି ଟଙ୍କା ବିନିଯୋଗରେ ଏକ ମଡୁଲାର ଓଟି କମ୍ପ୍ଲେକ୍ସ ଏବଂ ଏକ କ୍ୟାନସର୍ ସ୍କ୍ରିନିଂ ସେଣ୍ଟର୍ ର ଉଦଘାଟନ କରିଥିଲେ ।
ଏହାପରେ, ଧରଣୀଧର ବିଶ୍ଵବିଦ୍ୟାଳୟ ଉତ୍ତର କ୍ୟାମ୍ପସ୍ ପଡ଼ିଆରେ ନିଜ ସ୍ୱପ୍ନର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ । ବିଧାୟକ ଥିବା ସମୟରେ କେବଳ କେନ୍ଦୁଝର ଜିଲ୍ଲା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ, ମୁଖ୍ୟମନ୍ତ୍ରୀ ହେବା ପରେ ସମଗ୍ର ଓଡିଶା ପାଇଁ ସେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ୬୩୦ଟି ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ମଞ୍ଚରେ ତାଙ୍କ ସହିତ
ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉପସ୍ଥିତ ଥିଲେ । ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ କଟକରୁ ଉପମୁଖ୍ୟମନ୍ତ୍ରୀ କେପି ସିଂ ଦେଓ ଏବଂ ଭଦ୍ରକରୁ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭିଡ଼ିଓ କନଫରେନସିଂ ଯୋଗେ ଯୋଡି ହୋଇଥିଲେ । ଏଥିସହ, ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।