ବାରିପଦା/ବେତନଟୀ: ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଦଶମ ଶ୍ରେଣୀର ଜଣେ ଛାତ୍ରୀ ହଷ୍ଟେଲରେ ରହୁଥିବା ସମୟରେ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣାରେ କଡ଼ା ଆକ୍ସନ୍ ନେଇଛନ୍ତି ବେତନଟୀ ବ୍ଲକ୍ ଶିକ୍ଷା ଅଧିକାରୀ (BEO)। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV), ସରକାରୀ UPS ଧନପୁରର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ନମିତା ମାଝୀଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି।
ସୂଚନା ଅନୁଯାୟୀ, ହଷ୍ଟେଲରେ ରହୁଥିବା ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀ ୭ ମାସର ଗର୍ଭବତୀ ଥିଲେ। ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ସକାଳେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି।
ତଦାରଖରେ ଅବହେଳା ଅଭିଯୋଗ
ଘଟଣାର ପ୍ରାଥମିକ ତଦନ୍ତ ପରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ନମିତା ମାଝୀଙ୍କ କାର୍ଯ୍ୟରେ ଅବହେଳା ଥିବା ନେଇ BEO ନିଷ୍କର୍ଷରେ ପହଞ୍ଚିଛନ୍ତି। ଛାତ୍ରୀଙ୍କ ସୁରକ୍ଷା, ଯତ୍ନ ଓ ନିରାପତ୍ତା ଦାୟିତ୍ୱରେ ଗୁରୁତର ଅବହେଳା ହୋଇଥିବା ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।
ଓଡ଼ିଶା ସିଭିଲ୍ ସର୍ଭିସେସ୍ (Classification, Control and Appeal) ରୁଲ୍ସ, ୧୯୬୨ର ନିୟମ ୧୨ ଅନୁଯାୟୀ ଏହି ନିଲମ୍ବନ ଆଦେଶ ଜାରି ହୋଇଛି। ନିଲମ୍ବନ ଅବଧିରେ ତାଙ୍କ ମୁଖ୍ୟାଳୟ ସରିଆସ୍ଥିତ ଜି.କେ. ସରକାରୀ UPSକୁ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ନିୟମ ଅନୁଯାୟୀ ୫୦ ପ୍ରତିଶତ ଦରମା ସହ ଅନ୍ୟାନ୍ୟ ଭତ୍ତା ପାଇବେ।
ସ୍କୁଲ ଓ ହଷ୍ଟେଲ ଦାୟିତ୍ୱ ବଣ୍ଟନ
ବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରାଯାଇଛି। ବରିଷ୍ଠ ସହକାରୀ ଶିକ୍ଷକ ସୁବୋଧ ଚନ୍ଦ୍ର ସିଂହଙ୍କୁ ସ୍କୁଲର ସାଧାରଣ ପ୍ରଶାସନ ଓ ମଧ୍ୟାହ୍ନ ଭୋଜନ (MDM) ଦାୟିତ୍ୱ ଦିଆଯାଇଛି। ସେହିପରି ସହକାରୀ ଶିକ୍ଷୟିତ୍ରୀ ସ୍ୱାଗତିକା ରାଉତଙ୍କୁ KGBV ହଷ୍ଟେଲ ଏବଂ ୧୦୦ ଶଯ୍ୟା ବିଶିଷ୍ଟ SC/ST ବାଳିକା ହଷ୍ଟେଲର ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି।
ନୂଆ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ। ସମସ୍ତ ଦାୟିତ୍ୱ ହସ୍ତାନ୍ତର ଓ ଗ୍ରହଣ ପ୍ରକ୍ରିୟା ତୁରନ୍ତ ଶେଷ କରିବାକୁ BEO ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଆବାସିକ ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କ ସୁରକ୍ଷା, ନିୟମିତ ତଦାରଖ ଓ ଦାୟିତ୍ୱବୋଧକୁ ନେଇ ଗୁରୁତର ଚିନ୍ତା ସୃଷ୍ଟି କରିଛି।