ଭୁବନେଶ୍ୱର: ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ମିଳିଛି ଆଉ ଏକ ବଡ଼ ସଫଳତା। ଓଡ଼ିଶା ଉପକୂଳରେ ସ୍ୱଦେଶୀ ଭାବେ ବିକଶିତ ‘ପ୍ରଳୟ’ କ୍ୱାଜି-ବାଲିଷ୍ଟିକ୍ ମିସାଇଲର ସଫଳ ଉଡ଼ାଣ ପରୀକ୍ଷଣ କରିଛି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO)। ଗୁରୁବାର ସକାଳ ୧୧ଟା ୧୦ ମିନିଟ୍ରେ ଡକ୍ଟର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ କରାଯାଇଥିଲା। ଏହି ସଫଳତା ପାଇଁ DRDOର ବୈଜ୍ଞାନିକ ଓ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।
ପରୀକ୍ଷଣରେ ସମସ୍ତ ଲକ୍ଷ୍ୟ ହାସଲ
DRDO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପ୍ରଳୟ ମିସାଇଲର ଏହି ପରୀକ୍ଷଣ ୟୁଜର ଇଭାଲୁଏସନ୍ ଟ୍ରାଏଲ୍ର ଅଂଶ ଥିଲା। ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ (ITR) ପକ୍ଷରୁ ନିୟୋଜିତ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତି ମାଧ୍ୟମରେ ପରୀକ୍ଷଣର ତଥ୍ୟ ସଂଗ୍ରହ କରାଯାଇଥିଲା। ଏହି ତଥ୍ୟରୁ ମିସାଇଲଟି ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ଓ ପରୀକ୍ଷଣ ମାନଦଣ୍ଡ ପୂରଣ କରିଥିବା ସ୍ପଷ୍ଟ ହୋଇଛି।
କେତେ ଶକ୍ତିଶାଳୀ ପ୍ରଳୟ ମିସାଇଲ ?
ପ୍ରଳୟ ହେଉଛି ଭାରତର ସ୍ୱଦେଶୀ ଭାବେ ବିକଶିତ ଏକ ସ୍ୱଳ୍ପ ଦୂରଗାମୀ ସର୍ଫେସ୍-ଟୁ-ସର୍ଫେସ୍ କ୍ୱାଜି-ବାଲିଷ୍ଟିକ୍ ମିସାଇଲ। ଏହାକୁ ଭୂପୃଷ୍ଠରୁ ଶତ୍ରୁପକ୍ଷର ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ମିସାଇଲ ୫୦୦ରୁ ୧,୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏଥିରେ ଅତ୍ୟାଧୁନିକ ପ୍ରଯୁକ୍ତି ଓ ନିର୍ଦ୍ଦେଶନା ପ୍ରଣାଳୀ ବ୍ୟବହାର କରାଯାଇଛି। ଫଳରେ ବିଭିନ୍ନ ପ୍ରକାରର ଲକ୍ଷ୍ୟକୁ ସଠିକ୍ ଭାବେ ଟାର୍ଗେଟ୍ କରିବାରେ ଏହା ସକ୍ଷମ ହୋଇପାରିବ।
ରାଜନାଥ ସିଂହଙ୍କ ଅଭିନନ୍ଦନ
ପ୍ରଳୟ ମିସାଇଲର ସଫଳ ଉଡ଼ାଣ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDOର ବୈଜ୍ଞାନିକ ଏବଂ ସମ୍ପୃକ୍ତ ସମସ୍ତ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ସେ କହିଛନ୍ତି ଯେ, ଗୁରୁବାର ସକାଳ ୧୧ଟା ୧୦ ମିନିଟ୍ରେ ଓଡ଼ିଶା ଉପକୂଳରେ ଏହି ସ୍ୱଦେଶୀ ମିସାଇଲର ପରୀକ୍ଷଣ କରାଯାଇଥିଲା। ୟୁଜର ଇଭାଲୁଏସନ୍ ଟ୍ରାଏଲ୍ର ଅଂଶ ଭାବେ ହୋଇଥିବା ଏହି ପରୀକ୍ଷଣରେ ସମସ୍ତ ନିର୍ଦ୍ଧାରିତ ଉଦ୍ଦେଶ୍ୟ ସଫଳତାର ସହ ପୂରଣ ହୋଇଛି। ବିଭିନ୍ନ ରେଞ୍ଜ ଯନ୍ତ୍ରପାତିରୁ ମିଳିଥିବା ତଥ୍ୟ ମଧ୍ୟ ଏହାର ସଫଳତାକୁ ପ୍ରମାଣିତ କରିଛି ବୋଲି ସେ ଉଲ୍ଲେଖ କରିଛନ୍ତି।