ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡି ମେଣ୍ଟ ଦ୍ୱାରା ଆୟୋଜନ କରାଯାଇଥିବା ରାଲିରେ ଯୋଗ ନ ଦେବାକୁ ନେଇ କଂଗ୍ରେସ ଆକ୍ସନ ମୁଡକୁ ଆସିଛି । ଦେଶବ୍ୟାପୀ ୨୦୦ ରୁ ଅଧିକ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି ଭାରତୀୟ ଯୁବ କଂଗ୍ରେସ । ଏଥିରେ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ରୋହିତ ରାଜୋରିଆ ମଧ୍ୟ ଅନ୍ତର୍ଭୁକ୍ତ । ରୋହିତଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ବର୍ତ୍ତମାନ ସୁଦ୍ଧା ୭ଟି ରାଜ୍ୟରୁ ଅତିକମରେ ୧୮୫ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କୁ ଅନୁପସ୍ଥିତିର କାରଣ ଦର୍ଶାଇବାକୁ କୁହାଯାଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଠାରେ ୬୦ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ଗୁଜୁରାଟରେ ୪୯ ଜଣ, ପଶ୍ଚିମବଙ୍ଗରେ ୨୬ ଜଣ, ତେଲେଙ୍ଗାନାରେ ୧୪ ଜଣ, ଉତ୍ତରପ୍ରଦେଶରେ ୧୩ ଜଣ, ହିମାଚଳ ପ୍ରଦେଶରେ ୧୩ ଜଣ ଏବଂ ହରିୟାଣାରେ ୧୦ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହି ସଂଖ୍ୟା ୫୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି ।
ସେପଟେ ଦଳର ଏଭଳି ନିଷ୍ପତି ଉପରେ ଯୁବ କଂଗ୍ରେସର ନେତାମାନେ ଅସନ୍ତୋଷ ଝାଡ଼ିଛନ୍ତି । କେବଳ ଗୋଟିଏ ଘଟଣାକୁ ଆଧାର କରି ଦଳ କିପରି ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଲା ବୋଲି ପ୍ରଶ୍ନ କରିଛନ୍ତି । ରୋହିତ ରାଜୋରିଆ କହିଛନ୍ତି ଯେ ଦଳ ପାଇଁ ସେମାନେ ଅନେକ ଯନ୍ତ୍ରଣାର ସମ୍ମୁଖୀନ ହୋଇଛନ୍ତି । ଏଫ୍ଆଇଆର୍ ର ସାମ୍ନା କରିବା ସହିତ ଜେଲ୍ ମଧ୍ୟ ଯାଇଛନ୍ତି । କେବଳ ଗୋଟିଏ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିବାରୁ ଆମକୁ ପଦରୁ ହଟାଇ ଦିଆଯାଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ନିଜ କକାଙ୍କ ଏକାଦଶାହ କର୍ମରେ ଯୋଗ ଦେବାକୁ ଯାଇଥିଲେ । କକାଙ୍କ ଏକାଦଶର ନିମନ୍ତ୍ରଣ କାର୍ଡ ମଧ୍ୟ ଦେଖାଇ ପ୍ରମାଣ ଦେଇଛନ୍ତି ।