ମୁମ୍ବାଇ: ଏନସିପି (ଏସପି) ମୁଖ୍ୟ ତଥା ବରିଷ୍ଠ ରାଜନେତା ଶରଦ ପାୱାରଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଣେର ରୁବି ହଲ୍ କ୍ଲିନିକ୍ରୁ ବୁଧବାର ଡିସଚାର୍ଜ ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲକୁ ନିଆଯାଇଛି। ସେଠାରେ ତାଙ୍କର ଆଗକୁ ଅଧିକ ଡାକ୍ତରୀ ପରୀକ୍ଷା କରାଯିବ।
ଏନେଇ ଶରଦ ପାୱାରଙ୍କ ଝିଅ ତଥା ବାରାମତୀର ଲୋକସଭା ସାଂସଦ ସୁପ୍ରିୟା ସୁଲେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି। ଏକ୍ସରେ ସେ ଲେଖିଛନ୍ତି ଯେ, ବାବାଙ୍କୁ ଅଧିକ ଡାକ୍ତରୀ ଯାଞ୍ଚ ପାଇଁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ଏଥିସହ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ପ୍ରକଟ କରିଥିବା ଓ ଶୁଭେଚ୍ଛା ଜଣାଇଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି।
ଛାତିରେ ଯନ୍ତ୍ରଣା ଓ କାଶ ପରେ ହୋଇଥିଲେ ଭର୍ତ୍ତି
ସୂଚନା ଅନୁସାରେ, କାଶ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ନଭେମ୍ବର ୨ ତାରିଖରେ ଶରଦ ପାୱାରଙ୍କୁ ପୁଣେର ରୁବି ହଲ୍ କ୍ଲିନିକ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସହ ଡାକ୍ତରୀ ନିରୀକ୍ଷଣ କରାଯାଉଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ସୁପ୍ରିୟା ସୁଲେ କହିଥିଲେ ଯେ, ତାଙ୍କ ବାପାଙ୍କର ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ଚାଲିଛି ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ମାନଦଣ୍ଡ ସ୍ଥିର ରହିଛି।ସେହିପରି ରୁବି ହଲ୍ କ୍ଲିନିକ୍ର ମୁଖ୍ୟ ହୃଦ୍ରୋଗ ବିଶେଷଜ୍ଞ ତଥା ଅଧ୍ୟକ୍ଷ ଡାକ୍ତର ପରଭେଜ କେ. ଗ୍ରାଣ୍ଟ କହିଥିଲେ ଯେ, ଛାତିରେ ଯନ୍ତ୍ରଣା ହେବାରୁ ସାଧାରଣ ଯାଞ୍ଚ ଓ ଡାକ୍ତରୀ ନିରୀକ୍ଷଣ ପାଇଁ ପାୱାରଙ୍କୁ ହସ୍ପିଟାଲରେ ରଖାଯାଇଥିଲା।
ଫୋନ୍ କରି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ
ଅନ୍ୟପଟେ, ନଭେମ୍ବର ୪ ତାରିଖରେ ରୁବି ହଲ୍ କ୍ଲିନିକ୍ରୁ ଡିସଚାର୍ଜ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶରଦ ପାୱାରଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ। ପାୱାରଙ୍କ ସହଯୋଗୀ ବିଠଲ ମନିୟାରଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ତାଙ୍କୁ କିଛିଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ଶରଦ ପାୱାର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ।
ତେବେ ଡିସଚାର୍ଜ ହେବାର କିଛି ସମୟ ପରେ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରବର୍ତ୍ତୀ ଡାକ୍ତରୀ ଯାଞ୍ଚ ରିପୋର୍ଟକୁ ଅପେକ୍ଷା କରାଯାଇଛି।