ମୁମ୍ବାଇ: ରାତି ପାହିଲେ ହେବ ରିଲିଜ, ହେଲେ ପରଦାକୁ ଆସିବା ପୂର୍ବରୁ ହିଁ ବକ୍ସ ଅଫିସ୍ରେ ଚହଳ ପକାଇଛି ନିତେଶ ତିୱାରୀଙ୍କ ମହାକାବ୍ୟ ଆଧାରିତ ଫିଲ୍ମ ‘ରାମାୟଣ: ପାର୍ଟ ୱାନ୍’। ରିଲିଜ୍ ପୂର୍ବରୁ ଗ୍ଲୋବାଲ୍ ଆଡଭାନ୍ସ ଟିକେଟ୍ ବୁକିଂ ୧୦୦ କୋଟି ଟଙ୍କାର ମ୍ୟାଜିକ୍ ଫିଗର୍ ପାର୍ କରିଛି। ମଙ୍ଗଳବାର ବ୍ୟବସାୟ ଶେଷ ସୁଦ୍ଧା ଫିଲ୍ମଟି ପ୍ରାୟ ୧୧୧.୫୦ କୋଟି ଟଙ୍କାର ଗ୍ରସ୍ ଆଡଭାନ୍ସ ବୁକିଂ କରିଥିବା ରିପୋର୍ଟ ଆସିଛି।
ଘରୋଇ ବଜାରରୁ ୫୭ କୋଟିରୁ ଅଧିକ ଆୟ
ଆଡଭାନ୍ସ ବୁକିଂରେ ଭାରତୀୟ ବଜାରର ଯୋଗଦାନ ପ୍ରାୟ ୫୭.୨୫ କୋଟି ଟଙ୍କା ଗ୍ରସ୍ ରହିଛି। ଏହାର ନେଟ୍ କଲେକ୍ସନ୍ ପ୍ରାୟ ୪୮ କୋଟି ଟଙ୍କା। ଅନ୍ୟପଟେ ବିଦେଶୀ ବଜାରରୁ ପ୍ରାୟ ୫୪.୨୫ କୋଟି ଟଙ୍କା ଅର୍ଥାତ୍ ୫.୭ ମିଲିୟନ୍ ଡଲାରର ଆଡଭାନ୍ସ ବୁକିଂ ହୋଇଛି।
ଫିଲ୍ମ ରିଲିଜ୍ ପୂର୍ବରୁ ବୁକିଂରେ ଆହୁରି ବୃଦ୍ଧି ହେବାର ଆକଳନ କରାଯାଉଛି। ଏହା ୧୫୦ କୋଟି ଟଙ୍କାର ମାଇଲଖୁଣ୍ଟ ଛୁଇଁପାରେ ବୋଲି ବ୍ୟବସାୟିକ ଟ୍ରାକିଂରେ ଆଶା ପ୍ରକାଶ କରାଯାଇଛି।
ହିନ୍ଦୀ ସହ କନ୍ନଡ଼ ଭର୍ସନରେ ବି ଜବରଦସ୍ତ କ୍ରେଜ୍
ଭାରତରେ ହିନ୍ଦୀ ଭର୍ସନ୍ର ଓପନିଂ ଡେ ଆଡଭାନ୍ସ ବୁକିଂ ବୁଧବାର ସକାଳ ସୁଦ୍ଧା ପ୍ରାୟ ୧୭.୫୦ କୋଟି ଟଙ୍କା ନେଟ୍ ରହିଥିବା ରିପୋର୍ଟରେ କୁହାଯାଇଛି।ଅନ୍ୟପଟେ ସୁପରଷ୍ଟାର ୟଶଙ୍କ ଲୋକପ୍ରିୟତାର ପ୍ରଭାବ କନ୍ନଡ଼ ଭର୍ସନ୍ରେ ଦେଖିବାକୁ ମିଳିଛି। କନ୍ନଡ଼ରେ ଡବ୍ ହୋଇଥିବା ଫିଲ୍ମଗୁଡ଼ିକ ମଧ୍ୟରେ ଏହା ପ୍ରାୟ ୫ କୋଟି ଟଙ୍କାର ଗ୍ରସ୍ ଆଡଭାନ୍ସ ବୁକିଂ ସହ ରେକର୍ଡ କରିଥିବା ଦାବି କରାଯାଇଛି। ଘରୋଇ ବଜାରରେ ୫ ଦିନର ଆଡଭାନ୍ସ ବୁକିଂ ପ୍ରାୟ ୪୦ କୋଟି ଟଙ୍କା ନେଟ୍ରେ ପହଞ୍ଚିଛି।
ଆମେରିକାରେ ବି ରାମାୟଣର କ୍ରେଜ୍
ବିଦେଶୀ ବଜାରରେ ଆମେରିକାରୁ ସର୍ବାଧିକ ବୁକିଂ ହୋଇଛି। ଏଠାରେ ଆଡଭାନ୍ସ ଟିକେଟ୍ ବିକ୍ରି ୩.୨୦ ମିଲିୟନ୍ ଡଲାରରେ ପହଞ୍ଚିଛି। ଏହି ପରିମାଣ ହିନ୍ଦୀ ଫିଲ୍ମ ‘ଧୁରନ୍ଧର: ଦି ରିଭେଞ୍ଜ’ ପରେ ଦ୍ୱିତୀୟ ସର୍ବାଧିକ ଆଡଭାନ୍ସ ବୁକିଂ ବୋଲି ରିପୋର୍ଟରେ ଦାବି କରାଯାଇଛି।
ବର୍ତ୍ତମାନର ଟ୍ରାକିଂ ଅନୁସାରେ ଫିଲ୍ମର ଗ୍ଲୋବାଲ୍ ଓପନିଂ ୱିକେଣ୍ଡ ୨୦ ମିଲିୟନ୍ ଡଲାରରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି। ରିଲିଜ୍ ପୂର୍ବରୁ ଏତେ ବଡ଼ ଆଡଭାନ୍ସ ବୁକିଂ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହକୁ ଦର୍ଶାଉଛି। ଏବେ ସମସ୍ତଙ୍କ ନଜର ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ୍ କଲେକ୍ସନ୍ ଉପରେ।