ନୂଆଦିଲ୍ଲୀ: ଦେଶର ଅଗ୍ନିବୀରଙ୍କୁ କେନ୍ଦ୍ର ସରକାର ଆଗୁଆ ଦୀପାବଳି ଭେଟି ଦେଇଛନ୍ତି । ବୁଧବାର ଆହୂତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅଗ୍ନିପଥ ଯୋଜନାରେ ଭର୍ତ୍ତି ଅଗ୍ନିବୀର ସେବାଙ୍କ ଅବଧିକୁ ଆଗାମୀ ଦୁଇ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।
ଡିଫେନ୍ସ ଷ୍ଟାଫ ମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚର ଚାରି ବର୍ଷ ସେବା ଅବଧି ଶେଷ ହେବା ପାଇଁ ଯାଉଛି । ସରକାର ୭୫ ପ୍ରତିଶତ ଅଗ୍ନିବୀରଙ୍କ ସେବା ଅବଧିକୁ ଆସନ୍ତା ୨ ବର୍ଷ ପାଇଁ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ବର୍ତ୍ତମାନର ବ୍ୟବସ୍ଥାରେ ୨୫ ପ୍ରତିଶତ ଅଗ୍ନିବୀରଙ୍କ ସ୍ଥାୟୀ ନିଯୁକ୍ତି ମିଳୁଥିବାବେଳେ ୭୫ ପ୍ରତିଶତଙ୍କୁ ସେବା ନିବୃତ୍ତ ନେବାକୁ ବ୍ୟବସ୍ଥା ରହିଥିଲା । କିନ୍ତୁ ସେନା କମାଣ୍ଡର ତରଫରୁ ଏମାନଙ୍କ ପ୍ରଦର୍ଶନକୁ ନେଇ ସକରାତ୍ମକ ପ୍ରତିକ୍ରିୟା ମିଳିବା ପରେ ୨୫ ପ୍ରତିଶତଙ୍କୁ ସେବା ନିବୃତ୍ତ କରାଯିବ ଏବଂ ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କ ଅବଧିକୁ ବୃଦ୍ଧି କରାଯାଇ ଦ୍ୱିତୀୟ ସୁଯୋଗ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ଏହି ସମୟ ମଧ୍ୟରେ ସେମାନେ ନିଜର ପ୍ରଦର୍ଶନକୁ ଆହୁରି ଉତ୍ତମ କରିପାରିବେ ଏବଂ ଏହା ପରେ ସେମାନଙ୍କୁ ମୂଲ୍ୟାଙ୍କନ କରାଯିବ । ଯେଉଁ ଅଗ୍ନିବୀରଙ୍କ ପ୍ରଦର୍ଶନ ଶ୍ରେଷ୍ଠ ବିବେଚିତ ହେବ ଏବଂ ସନ୍ତୋଷଜନକ ହେବ ସେମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରରେ ନିୟମିତ କରାଯିବ । ଅଚାନକ ଜଣେ ଅଗ୍ନିବୀରଙ୍କୁ ବାହାର କରିବା ବଦଳରେ ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ସିଡିଏସ୍ ସ୍ପଷ୍ଟ କରିଛନ୍ତି ।
ସେହିପରି ଅଗ୍ନିବୀରଙ୍କ ଦରମା ପ୍ରଥମ ବର୍ଷରେ ୪୩,୪୦୦ ଟଙ୍କା ଏବଂ ଦ୍ୱିତୀୟ ବର୍ଷରେ ୪୭,୫୦୦ ଟଙ୍କା ହେବ । ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ସକାରାତ୍ମକ ପ୍ରଦର୍ଶନ ଯୋଗୁଁ କେନ୍ଦ୍ର ସରକାର ବ୍ୟବସ୍ଥାରେ ପରିବର୍ତ୍ତନ କରିଛନ୍ତି ।
କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଉଭୟ ପକ୍ଷ ପାଇଁ ଲାଭଦାୟକ ହେବ। ଏହା ଦ୍ୱାରା ସେନାକୁ ଯେପରି କର୍ମୀ ମିଳିବେ, ସେହିପରି 'ଅଗ୍ନିବୀର'ମାନେ ମଧ୍ୟ ନିଯୁକ୍ତି ପାଇପାରିବେ। ସେବା ଅବଧି ବୃଦ୍ଧି ପାଇବା ଫଳରେ ଅଗ୍ନିବୀରମାନେ ସେନାରେ ଅଧିକ ସମୟ କାର୍ୟ୍ୟ କରିବାର ସୁଯୋଗ ପାଇବେ, ଯାହା ସେମାନଙ୍କୁ ଅଧିକ ଅଭିଜ୍ଞତା ଅର୍ଜନ କରିବାରେ ଏବଂ ସେନା ସହ ଦୀର୍ଘ ସମୟ ଧରି ଜଡ଼ିତ ରହି ଲାଭବାନ ହେବାରେ ସାହାଯ୍ୟ କରିବ। ଏଥିସହିତ ସେନା ମଧ୍ୟ ଉପକୃତ ହେବ । କାରଣ ଏହା ଦ୍ୱାରା ସେନାରେ ଯବାନଙ୍କ ସଂଖ୍ୟାରେ କୌଣସି ଅଭାବ ଦେଖାଦେବ ନାହିଁ।