ମୁମ୍ବାଇ: ବଲିଉଡ୍ ଅଭିନେତା ତୁଷାର କପୁରଙ୍କୁ ୫ କୋଟି ଟଙ୍କାର ଦାଦାବଟି ଧମକ। ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ସଦସ୍ୟ ହ୍ୟାରି ବକ୍ସର ବୋଲି ପରିଚୟ ଦେଇ ଜଣେ ଫୋନ୍ କରି ଏହି ଟଙ୍କା ଦାବି କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ତୁଷାର ମୁମ୍ବାଇ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି। ଏହାପରେ ଆଣ୍ଟି ଏକ୍ସଟର୍ସନ୍ ସେଲ୍ ଓ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।
ତେବେ ଘଟଣାରେ ଆସିଛି ନୂଆ ମୋଡ଼। ଧମକପୂର୍ଣ୍ଣ ଫୋନ୍ କଲ୍ର ଅଡିଓ ଯାଞ୍ଚ ପରେ ଏହା ହ୍ୟାରି ବକ୍ସରଙ୍କ ସ୍ୱର ସହ ମେଳ ଖାଉନଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ତେଣୁ ଗ୍ୟାଙ୍ଗ୍ର ନାଁ ବ୍ୟବହାର କରି କେହି ଅଭିନେତାଙ୍କୁ ଭୟଭୀତ କରି ଟଙ୍କା ଆଦାୟ କରିବାକୁ ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି।
ହ୍ୟାରି ବକ୍ସରଙ୍କ ସ୍ୱର ସହ ମେଳ ଖାଇଲାନି ଅଡିଓ
ମୁମ୍ବାଇ ପୋଲିସ ସୂତ୍ର ଅନୁସାରେ, କ୍ରାଇମ୍ ବ୍ରାଞ୍ଚର ଟେକ୍ନିକାଲ୍ ଟିମ୍ ଧମକପୂର୍ଣ୍ଣ କଲ୍ର ଅଡିଓ ରେକର୍ଡିଂ ଯାଞ୍ଚ କରିଛି। ପୋଲିସ ଡାଟାବେସ୍ରେ ଥିବା ହ୍ୟାରି ବକ୍ସରଙ୍କ ସ୍ୱର ନମୁନା ସହ ଏହାକୁ ତୁଳନା କରାଯାଇଥିଲା। ପ୍ରାଥମିକ ଯାଞ୍ଚରେ ଉଭୟ ସ୍ୱର ମଧ୍ୟରେ କୌଣସି ମେଳ ମିଳିନାହିଁ। ଏହାପରେ ଧମକ ଦେଇଥିବା ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ଖୋଜୁଛି ପୋଲିସ। ତେବେ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି FIR ରୁଜୁ ହୋଇନଥିବା ସୂଚନା ମିଳିଛି।
ଗ୍ୟାଙ୍ଗ୍ର ନାଁରେ ଚାଲିଛି କି ନକଲି ଦାଦାବଟି ରାକେଟ୍?
ପୋଲିସ ସନ୍ଦେହ କରୁଛି ଯେ କିଛି ସ୍ଥାନୀୟ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ର ନାଁ ବ୍ୟବହାର କରି ବ୍ୟବସାୟୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଭୟଭୀତ କରି ଟଙ୍କା ଆଦାୟ ଉଦ୍ୟମ କରୁଥାଇପାରନ୍ତି।