ନୂଆଦିଲ୍ଲୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ଭୋଟର ତାଲିକାରେ ବଡ଼ ପରିବର୍ତ୍ତନ ସାମ୍ନାକୁ ଆସିଛି। ସ୍ୱତନ୍ତ୍ର ଗଭୀର ଯାଞ୍ଚ (SIR) ପ୍ରକ୍ରିୟା ଶେଷ ହେବା ପରେ ୫ଟି ରାଜ୍ୟରେ ମତଦାତାଙ୍କ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏହି ତାଲିକାରେ ଉତ୍ତରପ୍ରଦେଶରେ ସର୍ବାଧିକ ଭୋଟର ସଂଖ୍ୟା କମିଥିବା ଜଣାପଡ଼ିଛି।
ନିର୍ବାଚନ ଆୟୋଗ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ଯାଞ୍ଚ ପୂର୍ବରୁ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୮.୭୧ କୋଟି ଥିଲା। ତେବେ ଚୂଡ଼ାନ୍ତ ତାଲିକାରେ ଏହା ହ୍ରାସ ପାଇ ପ୍ରାୟ ୧୬.୪୩ କୋଟିରେ ପହଞ୍ଚିଛି। ଅର୍ଥାତ୍ ପାଞ୍ଚଟି ରାଜ୍ୟରେ ମୋଟ ପ୍ରାୟ ୨.୨୯ କୋଟି ଭୋଟର କମିଛନ୍ତି।
ଉତ୍ତରପ୍ରଦେଶରେ ସର୍ବାଧିକ ପ୍ରଭାବ
ଭୋଟର ସଂଖ୍ୟା ହ୍ରାସ ମାମଲାରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଛି। ଏଠାରେ SIR ପୂର୍ବରୁ ମୋଟ ଭୋଟରଙ୍କ ସଂଖ୍ୟା ୧୫.୪୪ କୋଟି ଥିବାବେଳେ ଡ୍ରାଫ୍ଟ ତାଲିକାରେ ଏହା ୧୨.୫୬ କୋଟିକୁ ଖସିଥିଲା। ପରବର୍ତ୍ତୀ ସମୟରେ କିଛି ନାମ ପୁନଃ ଯୋଡ଼ାଯିବା ପରେ ଚୂଡ଼ାନ୍ତ ସଂଖ୍ୟା ୧୩.୪୦ କୋଟି ହୋଇଛି। ଏହା ସତ୍ତ୍ୱେ ରାଜ୍ୟରେ ପ୍ରାୟ ୨.୦୪ କୋଟି ଭୋଟର କମିଛନ୍ତି। ଯାହା ମୋଟ ଭୋଟରଙ୍କ ପ୍ରାୟ ୧୩.୨୪ ପ୍ରତିଶତ। ଏହି ପାଞ୍ଚଟି ରାଜ୍ୟ ମଧ୍ୟରେ ଏହା ସର୍ବାଧିକ ହ୍ରାସ।
ପଞ୍ଜାବରେ ଫେରିଲା ଅଧିକ ନାମ
ପଞ୍ଜାବରେ ଯାଞ୍ଚ ପୂର୍ବରୁ ୨.୧୫ କୋଟି ଭୋଟର ଥିଲେ। ଡ୍ରାଫ୍ଟ ତାଲିକାରେ ଏହି ସଂଖ୍ୟା ୧.୯୪ କୋଟିକୁ ହ୍ରାସ ପାଇଥିଲା। ପରେ ପ୍ରାୟ ୭ ଲକ୍ଷ ନାମ ପୁନଃ ଯୋଡ଼ାଯିବା ପରେ ଚୂଡ଼ାନ୍ତ ଭୋଟର ସଂଖ୍ୟା ୨.୦୧ କୋଟି ହୋଇଛି। ତଥାପି ମୋଟ ଭୋଟର ସଂଖ୍ୟାରେ ୬.୩୪ ପ୍ରତିଶତ ହ୍ରାସ ରେକର୍ଡ ହୋଇଛି।
ଅନ୍ୟ ତିନି ରାଜ୍ୟର ସ୍ଥିତି କ'ଣ?
ଉତ୍ତରାଖଣ୍ଡରେ ଭୋଟରଙ୍କ ସଂଖ୍ୟା ୮୦ ଲକ୍ଷରୁ ହ୍ରାସ ପାଇ ଚୂଡ଼ାନ୍ତ ତାଲିକାରେ ୭୨ ଲକ୍ଷ ହୋଇଛି। ଏଠାରେ ପ୍ରାୟ ୧୦.୦୭ ପ୍ରତିଶତ ଭୋଟର କମିଛନ୍ତି। ମଣିପୁରରେ ପୂର୍ବରୁ ୨୦.୯୦ ଲକ୍ଷ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ୧୯.୬୦ ଲକ୍ଷକୁ ଖସିଛି। ଏଠାରେ ପ୍ରାୟ ୬.୩୩ ପ୍ରତିଶତ ହ୍ରାସ ଘଟିଛି। ସେହିପରି ଗୋଆରେ ମଧ୍ୟ ଭୋଟରଙ୍କ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ ୧୧.୮୫ ଲକ୍ଷ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୧୦.୫୮ ଲକ୍ଷକୁ ହ୍ରାସ ପାଇଛି। ଏଠାରେ ମୋଟ ୧୦.୭୬ ପ୍ରତିଶତ ଭୋଟର କମିଛନ୍ତି।
ନୂଆ ଭୋଟରଙ୍କୁ ମିଳିବ ସୁଯୋଗ
ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ୧୭ଟି ରାଜ୍ୟରେ ଭୋଟର ତାଲିକାର ସଂଶୋଧନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଯେଉଁ ଯୋଗ୍ୟ ଭୋଟରଙ୍କ ନାମ ପୂର୍ବରୁ ତାଲିକାରେ ସାମିଲ ହୋଇପାରିନାହିଁ, ସେମାନଙ୍କୁ ନାମ ଯୋଡ଼ିବାର ସୁଯୋଗ ମିଳିବ। ଏହାସହ ନିର୍ଦ୍ଧାରିତ ତାରିଖ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରୁଥିବା ଯୁବ ଭୋଟରମାନେ ମଧ୍ୟ ନିଜ ନାମ ପଞ୍ଜୀକରଣ କରିପାରିବେ।
ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ସମେତ ଏହି ପାଞ୍ଚଟି ରାଜ୍ୟରେ ୨୦୨୭ ମସିହା ପ୍ରାରମ୍ଭରେ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ତେଣୁ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ଶୁଦ୍ଧତା ଓ ଯୋଗ୍ୟ ମତଦାତାଙ୍କ ନାମ ସାମିଲ କରିବା ନିର୍ବାଚନ ଆୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି।