ମୁମ୍ବାଇ: ବଲିଉଡ୍ ଅଭିନେତା ଇମରାନ ଖାନ ଏସ୍ଆଇଆର୍ ବିରୋଧରେ ବିରୋଧ କରିବା ମାମଲାରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ଇମରାନଙ୍କୁ ବିଦେଶୀ ନାଗରିକତା ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ବମ୍ବେ ହାଇକୋର୍ଟଙ୍କ କଡ଼ା ଭର୍ସନାର ସାମ୍ନା କରିଛନ୍ତି । କୋର୍ଟଙ୍କ ଭର୍ସନା ପରେ ଇମରାନ କ୍ଷମା ମାଗିଛନ୍ତି ।
କର୍ତ୍ତୃପକ୍ଷ ଇମ୍ରାନ ଖାନଙ୍କୁ 'ଭାରତ ଛାଡ଼ିବା' ପାଇଁ ଏକ ନୋଟିସ୍ ଜାରି କରିଥିଲେ, ଯାହାକୁ ସେ ଚ୍ୟାଲେଞ୍ଜ କରିଛନ୍ତି। ଅଭିନେତା ଜଣକ କୋର୍ଟଙ୍କୁ ଜଣାଇଲେ ଯେ ବିକ୍ଷୋଭ ଆୟୋଜକମାନଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ସେ ଏକ ସତ୍ୟପାଠ ଦାଖଲ କରିବାକୁ ପ୍ରସ୍ତାବ ଦେଲେ ଏବଂ ଭାରତରେ ରହିବାକୁ ଅନୁମତି ଦେବା ପାଇଁ କୋର୍ଟଙ୍କୁ ଅନୁରୋଧ କଲେ। ଅଦାଲତ କହିଥିଲେ ଯେ କେବଳ ଏକ ସତ୍ୟପାଠ ଯଥେଷ୍ଟ ହେବ ନାହିଁ; ଇମ୍ରାନଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିବାକୁ ପଡ଼ିବ।
ଅଦାଲତ କହିଥିଲେ ଯେ "ଯଦି ଜଣେ ଭାରତୀୟ ନାଗରିକ ବିଦେଶରେ ଏଭଳି କିଛି କରିଥାନ୍ତେ, ତେବେ ତାଙ୍କୁ ତୁରନ୍ତ ପରବର୍ତ୍ତୀ ବିମାନ ଯୋଗେ ଭାରତ ଫେରାଇ ଦିଆଯାଇଥାନ୍ତା।" ଆପଣ ଏତେ ବର୍ଷ ଧରି ଭାରତରେ ରହିଆସୁଛନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଆପଣ କେବେବି କୌଣସି ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିନାହାନ୍ତି। ଏତେ ଦୀର୍ଘ ସମୟ ଧରି ଏଠାରେ ରହିବା ପରେ, ବର୍ତ୍ତମାନ କାହିଁକି ଏକ ବିକ୍ଷୋଭରେ ସାମିଲ ହେଲେ ବୋଲି ଅଦାଲତ ପ୍ରଶ୍ନ କରିଛନ୍ତି ।
ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୧୦ ତାରିଖରେ ମୁମ୍ବାଇର ଅଗଷ୍ଟ କ୍ରାନ୍ତି ମୈଦାନରେ 'ସିଜେପି' ଦ୍ୱାରା ଆୟୋଜିତ ଏକ ବିକ୍ଷୋଭ ପ୍ରଦର୍ଶନରେ ଇମ୍ରାନ୍ ଖାନ୍ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ତାଙ୍କ ସହ ତାଙ୍କ ବାନ୍ଧବୀ ଲେଖା ୱାଶିଂଟନ୍ ଏବଂ ତାଙ୍କର ଜଣେ ସମ୍ପର୍କୀୟା ଭଉଣୀ ସାମିଲ ଥିଲେ । ଏହି ବିକ୍ଷୋଭରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରଦର୍ଶନ ହୋଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ମୁମ୍ବାଇ ପୋଲିସ ଇମ୍ରାନ୍ ଖାନ୍ଙ୍କୁ ହେପାଜତକୁ ନେଇଥିଲା। ପରେ ଭାରତ ଛାଡ଼ ନୋଟିସ୍ ଜାରି କରିଥିଲା ।
କ’ଣ କହୁଛି ଓସିଆଇ ନିୟମ ?
ଓସିଆଇ ନିୟମାବଳୀ ଅନୁଯାୟୀ, ବିଦେଶୀ ନାଗରିକମାନଙ୍କର ଭାରତ ମଧ୍ୟରେ କୌଣସି ସାମ୍ବିଧାନିକ କିମ୍ବା ରାଜନୈତିକ ଅଧିକାର ନଥାଏ। ଏହା ବ୍ୟତୀତ, ସେମାନଙ୍କୁ ଭାରତୀୟ ନାଗରିକଙ୍କ ଭଳି ସମାନ ସୁବିଧା-ସୁଯୋଗ ମିଳେ ନାହିଁ । ଯଦିଓ ଏହି ମାନ୍ୟତା ସେମାନଙ୍କୁ ଭାରତକୁ ଏକାଧିକ ଥର ଆସିବା ଏବଂ ଯିବାର ଅନୁମତି ଦେଇଥାଏ। ସମ୍ପତ୍ତି ମାଲିକାନା, ଯାତାୟାତ ଏବଂ କାର୍ଯ୍ୟ କରିବା ଅନୁମତି (ୱାର୍କ ପରମିଟ୍) କ୍ଷେତ୍ରରେ, ସେମାନଙ୍କୁ ଅଣ-ନିବାସୀ ଭାରତୀୟ (NRI) ମାନଙ୍କ ସହ ସମାନ ଅଧିକାର ପ୍ରଦାନ କରାଯାଇଥାଏ। ଏପରିକି ସେମାନେ କୌଣସି ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିବେ ନାହିଁ । ମତଦାନ କିମ୍ବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅନୁମତି ନାହିଁ । ଯଦି ଏହି ନିୟମାବଳୀର କୌଣସି ଉଲ୍ଲଂଘନ ହୁଏ, ତେବେ ସେମାନଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବାର ଅଧିକାର ଭାରତ ସରକାରଙ୍କ ପାଖରେ ରହିଛି।