ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ଖୁସିର ଖବର ଆସିଛି । ଦୀପାବଳିରେ ସୁବଜ ବାଣ ବା ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଉତ୍ସବ ପାଳନ ଏବଂ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ, ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ପରିବେଶ ଅନୁକୂଳ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି।
ସୁପ୍ରିମକୋର୍ଟ ଏ ସଂକ୍ରାନ୍ତୀୟ ଏକ ସୁପ୍ରିମକୋର୍ଟ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଅକ୍ଟୋବର ୧୫, ୨୦୨୫ ତାରିଖର ନିଜର ପୂର୍ବ ନିର୍ଦ୍ଦେଶକୁ ଅନୁପାଳନ କରି, ସୁପ୍ରିମକୋର୍ଟ ୨୦୨୬ ମସିହା ନଭେମ୍ବର ୭ ଏବଂ ୮ ତାରିଖରେ ଦିଲ୍ଲୀ-ଏନସିଆରରେ କେବଳ 'ଗ୍ରୀନ୍' ବାଣ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଏହା କେବଳ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ହିଁ କରାଯାଇପାରିବ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, 'ଗ୍ରୀନ୍' ବାଣ କେବଳ ସକାଳ ୬:୦୦ଟାରୁ ୭:୦୦ଟା ଏବଂ ରାତି ୮:୦୦ଟାରୁ ୧୦:୦୦ଟା ମଧ୍ୟରେ ଫୁଟା ଯାଇପାରିବ । ଅନ୍ୟ କୌଣସି ସମୟରେ ବାଣ ଫୁଟାଇବାକୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ କିଛି ନିର୍ଦ୍ଦିଷ୍ଟ ସ୍ଥାନର ୩୦୦ ମିଟର ପରିସର ମଧ୍ୟରେ କୌଣସି ପ୍ରକାରର ବାଣ ଫୁଟା ଯାଇପାରିବ ନାହିଁ । ଏହି ସ୍ଥାନଗୁଡ଼ିକ ମଧ୍ୟରେ ରହିଛି - ଡାକ୍ତରଖାନା ଓ ନର୍ସିଂ ହୋମ୍, ପ୍ରାଥମିକ ଓ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର, ବୃଦ୍ଧାଶ୍ରମ ଏବଂ 'ନୋଟିଫାଏଡ୍ ସାଇଲେନ୍ସ ଜୋନ୍' (ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଶାନ୍ତ ଅଞ୍ଚଳ ଭାବେ ଚିହ୍ନିତ ସ୍ଥାନ) ରହିଛି ।
ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ ଉପରୋକ୍ତ ସମସ୍ତ ସମ୍ବେଦନଶୀଳ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନ (ସ୍କୁଲ ଏବଂ କଲେଜ)କୁ 'ନୋ-କ୍ରାକର ଜୋନ୍' ଘୋଷଣା କରାଯିବା ଉଚିତ। ପ୍ରଶାସନକୁ ଏହି ଅଞ୍ଚଳଗୁଡ଼ିକର ଉପଯୁକ୍ତ ବ୍ୟାରିକେଡିଂ ଏବଂ ଚିହ୍ନିତ କରିବା ଏବଂ ସାଧାରଣ ଲୋକଙ୍କୁ ଅବଗତ କରିବା ପାଇଁ ବ୍ୟାପକ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ଵାରା ନିୟମ ଉଲ୍ଲଂଘନ ନହୁଏ।