ସୋସିଆଲ ମିଡିଆ ପୋଷ୍ଟ ମାମଲାରେ ଦିଲ୍ଲୀ ପୁଲିସ ବିହାର କଂଗ୍ରେସକୁ ନୋଟିସ୍ ପଠାଇଛି। ଏହାସହ ପଦାଧିକାରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏହି ମାମଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଆଇ ଭିଡିଓ (AI Video) ପୋଷ୍ଟ ଏବଂ ସେୟାର କରିବାକୁ ନେଇ ରୁଜୁ ହୋଇଥିବା ଏଫ୍ଆଇଆର୍ (FIR) ସହ ଜଡ଼ିତ।
ବିହାର କଂଗ୍ରେସ ସହ ଜଡ଼ିତ ଏକ ସୋସିଆଲ ମିଡିଆ ପୋଷ୍ଟ ମାମଲାରେ ଦିଲ୍ଲୀ ପୁଲିସ ନିଜର କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି। ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ (Special Cell) ଗତ ବର୍ଷ ରୁଜୁ ହୋଇଥିବା ଏଫ୍ଆଇଆର୍ର ତଦନ୍ତ ସିଲ୍ସିଲାରେ ବିହାର କଂଗ୍ରେସର ପଦାଧିକାରୀଙ୍କୁ ନୋଟିସ୍ ଜାରି କରି ପଚରାଉଚରା ପାଇଁ ଡକାଇଛି। ଏହି ନୋଟିସ୍ ରବିବାର ଦିନ ପାଟନାସ୍ଥିତ ବିହାର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟ ‘ସଦାକତ ଆଶ୍ରମ’ରେ ଲଗାଯାଇଛି।
କଂଗ୍ରେସର ପ୍ରଦେଶ ମୁଖପାତ୍ର ଅସିତ୍ ନାଥ ତିୱାରୀ ଏହାକୁ ସ୍ପଷ୍ଟ କରିଛନ୍ତି। ସେ ଜଣାଇଛନ୍ତି ଯେ କଂଗ୍ରେସର ଆଇଟି ସେଲ୍ ସହ ଜଡ଼ିତ ଜଣେ ପଦାଧିକାରୀଙ୍କୁ ଏହି ନୋଟିସ୍ ପଠାଯାଇଛି। ଏଥିରେ ତାଙ୍କୁ ପଚରାଉଚରା ପାଇଁ ନଭେମ୍ବର ୫ ତାରିଖ ଦିନ ପୂର୍ବାହ୍ନ ୧୧ଟାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍ର ‘କାଉଣ୍ଟର ଇଣ୍ଟେଲିଜେନ୍ସ ୟୁନିଟ୍’ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ମୁଖପାତ୍ର କହିଛନ୍ତି ଯେ ଦଳ ଏହି ମାମଲାକୁ ନେଇ ଆଲୋଚନା କରୁଛି।
ମୋବାଇଲ୍ ଫୋନର ବିବରଣୀ ମଧ୍ୟ ମଗାଯାଇଛି
ପୁଲିସ କଂଗ୍ରେସର ଯେଉଁ ପଦାଧିକାରୀଙ୍କୁ ନୋଟିସ୍ ଜାରି କରିଛି, ସେମାନଙ୍କର ମୋବାଇଲ୍ ନମ୍ବର ଦଳର ପ୍ରଦେଶ ଏକକର ସରକାରୀ ‘X’ ହ୍ୟାଣ୍ଡେଲ୍ ସହିତ ପଞ୍ଜୀକୃତ ହୋଇଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୯୪ ଅଧୀନରେ ଜାରି ହୋଇଥିବା ଏହି ନୋଟିସରେ ସିମ୍ କାର୍ଡ ଏବଂ ‘X’ ହ୍ୟାଣ୍ଡେଲ୍ ପରିଚାଳନା ସମ୍ବନ୍ଧୀୟ ସୂଚନା ମଗାଯାଇଛି। ଏହା ସହିତ ସେହି ମୋବାଇଲ୍ ଫୋନ୍ଗୁଡ଼ିକର ବିବରଣୀ ମଧ୍ୟ ମଗାଯାଇଛି, ଯେଉଁଥିରେ ଏହି ସିମ୍ କାର୍ଡ ବ୍ୟବହାର କରାଯାଇଥିଲା।
ଏହି ମାମଲା ଗତ ବର୍ଷ ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ ସହ ଜଡ଼ିତ। ଦିଲ୍ଲୀ ପୁଲିସ ଏହି ସୋସିଆଲ ମିଡିଆ ଆକାଉଣ୍ଟର ପରିଚାଳନା ଏବଂ ଏହା ସହ ଜଡ଼ିତ ମୋବାଇଲ୍ ନମ୍ବରଗୁଡ଼ିକର ଯାଞ୍ଚ କରୁଛି। ପୁଲିସ ବିହାର କଂଗ୍ରେସଠାରୁ ୧ ଜୁଲାଇରୁ ୩୧ ଡିସେମ୍ବର ୨୦୨୫ ମଧ୍ୟରେ ଏହି ହ୍ୟାଣ୍ଡେଲ୍ ଅପରେଟ୍ କରିଥିବା ଅଧିକୃତ ବ୍ୟକ୍ତିମାନଙ୍କ ତାଲିକା ଏବଂ କଲ୍ ଡିଟେଲ୍ ରେକର୍ଡସ୍ (CDR) ମାଗିଛି।
PM ମୋଦୀଙ୍କ ଏଆଇ ଭିଡିଓ ସହ ଜଡ଼ିତ ଅଛି ମାମଲା
ଏହି ନୋଟିସ୍ ଗତ ବର୍ଷ ସେପ୍ଟେମ୍ବର ୧୩ ତାରିଖରେ ଦିଲ୍ଲୀର ନର୍ଥ ଆଭେନ୍ୟୁ ପୁଲିସ ଥାନାରେ ଭାରତୀୟନ୍ୟାୟ ସଂହିତାର ବିଭିନ୍ନ ଧାରା ଅଧୀନରେ ରୁଜୁ ହୋଇଥିବା ଏକ ଏଫ୍ଆଇଆର୍ ସିଲ୍ସିଲାରେ ଦିଆଯାଇଛି। ବିହାର କଂଗ୍ରେସ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କର ଦିବଂଗତା ମାଆଙ୍କ ସହ ଜଡ଼ିତ ଏକ ବିବାଦୀୟ ଏଆଇ ଭିଡିଓ ପୋଷ୍ଟ କରିଥିବା ଅଭିଯୋଗ ରହିଛି। ଏହି ଏଆଇ ଭିଡିଓ ବିହାର କଂଗ୍ରେସର ସରକାରୀ ‘X’ ହ୍ୟାଣ୍ଡେଲ୍ @INCBihar ରୁ ପୋଷ୍ଟ/ସେୟାର କରାଯାଇଥିଲା।