ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୁରାସୁ’। ବାତ୍ୟାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ଯାତ୍ରୀଙ୍କ ସୁରକ୍ଷା ଏବଂ ପ୍ରତିକୂଳ ପାଗକୁ ଦୃଷ୍ଟିରେ ରଖି ଚେନ୍ନାଇ ଓ ବିଜୟୱାଡ଼ା ବିମାନବନ୍ଦରରେ ମୋଟ ୨୧ଟି ବିମାନ ଉଡ଼ାଣ ବାତିଲ କରାଯାଇଛି।
୨୧ଟି ଇଣ୍ଡିଗୋ ବିମାନ ବାତିଲ
ସୂଚନା ଅନୁଯାୟୀ, ଚେନ୍ନାଇ ବିମାନବନ୍ଦରରେ ୧୧ଟି ଏବଂ ବିଜୟୱାଡ଼ାର ଗନ୍ନାଭରମ୍ ବିମାନବନ୍ଦରରେ ୧୦ଟି ଇଣ୍ଡିଗୋ ବିମାନର ଉଡ଼ାଣ ବାତିଲ କରାଯାଇଛି। ଏହାଦ୍ୱାରା ଚେନ୍ନାଇରୁ ବିଜୟୱାଡ଼ା, ରାଜମହେନ୍ଦ୍ରୀ, କଡ଼ପା ଓ ତିରୁଚିରାପଲ୍ଲୀ ମଧ୍ୟରେ ଯାତାୟାତ କରୁଥିବା ଯାତ୍ରୀ ପ୍ରଭାବିତ ହୋଇଛନ୍ତି।
ବିମାନ ବାତିଲ ଯୋଗୁଁ ଅନେକ ଯାତ୍ରୀଙ୍କ ଯାତ୍ରା ଯୋଜନାରେ ପରିବର୍ତ୍ତନ ହୋଇଛି। ପ୍ରଭାବିତ ଯାତ୍ରୀଙ୍କୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ସୂଚନା ଦେଉଛି ଇଣ୍ଡିଗୋ। ବିମାନବନ୍ଦରକୁ ଯିବା ପୂର୍ବରୁ ନିଜ ବିମାନର ସ୍ଥିତି ଯାଞ୍ଚ କରିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।
ଚେନ୍ନାଇରେ ପ୍ରବଳ ବର୍ଷା, ଜଳବନ୍ଦୀ ସମସ୍ୟା
ବାତ୍ୟାର ପ୍ରଭାବରେ ତାମିଲନାଡୁର ଚେନ୍ନାଇ, ଚେଙ୍ଗଲପଟ୍ଟୁ ଓ ତିରୁଭାଲ୍ଲୁର ଜିଲ୍ଲାରେ ରବିବାର ରାତିରୁ ପ୍ରବଳ ବର୍ଷା ହେଉଛି। ଚେନ୍ନାଇର କେତେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚେନ୍ନାଇ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏଥିସହ ସୋମବାର ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି।
ଘଣ୍ଟାପ୍ରତି ୧୧୦ କିମି ବେଗରେ ବହିପାରେ ପବନ
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ‘ମୁରାସୁ’ ନଭେମ୍ବର ୨ ମଧ୍ୟରାତ୍ରିରୁ ନଭେମ୍ବର ୩ ଭୋର ମଧ୍ୟରେ ଆନ୍ଧ୍ରପ୍ରଦେଶର ନେଲ୍ଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଉପକୂଳରେ, ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ।
ଏହି ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବାତ୍ୟାକୁ ନଜରରେ ରଖି ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ବଢ଼ାଯାଇଛି।
ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ପ୍ରଶାସନ ଓ ପାଣିପାଗ ବିଭାଗ ବାତ୍ୟାର ଗତିବିଧି ଉପରେ ନଜର ରଖିଛନ୍ତି।