ବ୍ରହ୍ମପୁର: ବାତ୍ୟା ପରବର୍ତ୍ତୀ ବନ୍ୟାରେ ଛାରଖାର ଗଞ୍ଜାମର ଜଳସେଚନ ବ୍ୟବସ୍ଥା। ଲଗାଣ ବର୍ଷା ଓ ବନ୍ୟାର ପ୍ରକୋପରେ ଜିଲ୍ଲାର ଜଳସମ୍ପଦ ଭିତ୍ତିଭୂମି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ପ୍ରାୟ ୧୭୦ଟି କେନାଲ, ଆନିକଟ ଓ ନଦୀବନ୍ଧ ନଷ୍ଟ ହୋଇଥିବା ବେଳେ ପ୍ରାଥମିକ ଆକଳନ ଅନୁସାରେ କ୍ଷୟକ୍ଷତି ୫୦ କୋଟି ଟଙ୍କା ଟପିଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତଙ୍କ ସୂଚନା ଅନୁସାରେ, ଋଷିକୁଲ୍ୟା ନଦୀ ଅବବାହିକାରେ ବନ୍ୟାର ପ୍ରଭାବ ସର୍ବାଧିକ ରହିଛି। ଲଗାଣ ବର୍ଷା ଯୋଗୁଁ ପୁରୁଷୋତ୍ତମପୁରରେ ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ଉପରକୁ ଚାଲିଯାଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ନଦୀବନ୍ଧ ଓ କେନାଲ ଭାଙ୍ଗିଯାଇଛି।
ସବୁଠାରୁ ଚିନ୍ତାଜନକ ଘଟଣା ହେଉଛି, ଜାନିବିଲି ଆନିକଟର ପ୍ରାୟ ୯୦ ମିଟର ଅଂଶ ଭୁଶୁଡ଼ି ପଡ଼ିବା ସହ ଲୁହା ସଟର ପ୍ଲେଟ୍ଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଆନିକଟରୁ ବ୍ରହ୍ମପୁର ସହର ସମେତ ଦକ୍ଷିଣ ଗଞ୍ଜାମର ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ ଓ ଜଳସେଚନ ପାଇଁ ପାଣି ଯୋଗାଣ ହୋଇଥାଏ। ତେଣୁ ଏହାର ଶୀଘ୍ର ମରାମତି ନହେଲେ ଚାଷୀଙ୍କ ସହ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିବା ଆଶଙ୍କା ରହିଛି।
୫୦ କୋଟିରୁ ଅଧିକ କ୍ଷତି
ଦିଗପହଣ୍ଡି, ହିଞ୍ଜିଳିକାଟୁ, ଶେରଗଡ଼, ସାନଖେମୁଣ୍ଡି, ପୁରୁଷୋତ୍ତମପୁର ଓ ସୋରଡ଼ା ବ୍ଲକରେ ହଜାର ହଜାର ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ବନ୍ୟାଜଳ ସହ ଆସିଥିବା ପଟୁମାଟି ଓ ଡ୍ରେନେଜ୍ ବ୍ୟବସ୍ଥା ନଷ୍ଟ ହେବାରୁ ପନିପରିବା ଚାଷ ସମେତ ବିଭିନ୍ନ ଫସଲ ବ୍ୟାପକ କ୍ଷତି ସହିଛି। ସେହିପରି ହିଞ୍ଜିଳି ବ୍ଲକର ଚାନ୍ଦୁଲି ଗାଁ ନିକଟରେ ଋଷିକୁଲ୍ୟା ନଦୀବନ୍ଧର ପ୍ରାୟ ୧୦୦ ମିଟର ଅଂଶ ଧୋଇ ହୋଇଯାଇଛି।
୩ ମାସରେ କାମ ସାରିବାକୁ ଲକ୍ଷ୍ୟ
କ୍ଷତିଗ୍ରସ୍ତ ଜଳସେଚନ ଓ ଜଳସମ୍ପଦ ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ନେଇଛି। ଆସନ୍ତା ୧୫ ଦିନ ମଧ୍ୟରେ ମରାମତି କାମ ଆରମ୍ଭ କରି ତିନି ମାସ ମଧ୍ୟରେ ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଇତିମଧ୍ୟରେ ଯନ୍ତ୍ରୀମାନେ କ୍ଷୟକ୍ଷତିର ପ୍ରାଥମିକ ଆକଳନ କରି ବିପଦପୂର୍ଣ୍ଣ ସ୍ଥାନ ଚିହ୍ନଟ କରିଛନ୍ତି।
ଅନ୍ୟପଟେ ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ମୁରାସୁ’କୁ ନଜରରେ ରଖି ଜଳଭଣ୍ଡାରଗୁଡ଼ିକର ଜଳସ୍ତର ନିୟନ୍ତ୍ରଣ କରାଯାଉଛି। ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ, ବିଦ୍ୟୁତ୍ ସେବା ପୁନଃସ୍ଥାପନ ଓ ସ୍ୱଚ୍ଛତା କାର୍ଯ୍ୟ ମଧ୍ୟ ଜାରି ରହିଛି।
ବନ୍ୟାରେ ଭାଙ୍ଗିଛି ଜଳସେଚନ ଭିତ୍ତିଭୂମି, ବିପଦରେ ଚାଷ ଓ ପାନୀୟ ଜଳ ଯୋଗାଣ। ଏବେ ସମସ୍ତଙ୍କ ନଜର ରହିଛି ଜାନିବିଲି ଆନିକଟ ସମେତ କ୍ଷତିଗ୍ରସ୍ତ ପ୍ରକଳ୍ପଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ଉପରେ।