କଟକ: ଐତିହାସିକ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ପ୍ରସ୍ତୁତିର ପର୍ବ। ୨୦୨୬ ବାଲିଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ପ୍ଲଟ୍ ନିଲାମ ପ୍ରକ୍ରିୟା। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଏହି ନିଲାମ ଚାଲିବ। ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବା ପାଇଁ ୭ଟି ଟିମ୍ ଗଠନ କରିଛି ଜିଲ୍ଲା ପ୍ରଶାସନ। ପ୍ରତିଦିନ ସକାଳ ୧୦ଟାରୁ ନିଲାମ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ମଧ୍ୟାହ୍ନ ବିରତି ରହିବ।
ନିଲାମରେ ଭାଗ ନନେଲେ ଫେରିବନି ଫି'
ନିଲାମ ପ୍ରକ୍ରିୟାରେ ଭାଗ ନେବା ପାଇଁ ପଞ୍ଜୀକରଣ କରିଥିବା ବ୍ୟକ୍ତି ଯଦି ନିଲାମରେ ଅଂଶଗ୍ରହଣ ନକରନ୍ତି, ତେବେ ସେମାନେ ଦାଖଲ କରିଥିବା ଫି' ଫେରସ୍ତ ପାଇବେ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।
ବିଭିନ୍ନ ପ୍ଲଟ୍ ପାଇଁ ଏକାଧିକ ପଞ୍ଜୀକରଣ ହୋଇଥିବାରୁ ଚଳିତ ବର୍ଷ ପ୍ରାୟ ୩୦୦ରୁ ୪୦୦ଟି ପ୍ଲଟ୍ ନିଲାମ ପ୍ରକ୍ରିୟାରେ ସାମିଲ ହେବାର ଆଶା ରହିଛି। ଗତ ଅକ୍ଟୋବର ୩୧ ତାରିଖ ଥିଲା ପ୍ଲଟ୍ ପଞ୍ଜୀକରଣର ଶେଷ ଦିନ। ପ୍ଲଟ୍ ପଞ୍ଜୀକରଣ ପାଇଁ ବେସ୍ ପ୍ରାଇସ୍ ୬୦ରୁ ୬୫ ଟଙ୍କା ମଧ୍ୟରେ ରଖାଯାଇଥିଲା।
ନିଲାମ ପ୍ରକ୍ରିୟାରେ ସୁଧାର ଦାବି କଲେ ବ୍ୟବସାୟୀ
ଅନ୍ୟପଟେ, ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଆହୁରି ସ୍ୱଚ୍ଛତା ଓ ସୁଧାର ଆଣିବା ଆବଶ୍ୟକ ବୋଲି ମତ ରଖିଛନ୍ତି ବ୍ୟବସାୟୀ। ତେବେ ଚଳିତ ବର୍ଷର ନିଲାମ ପ୍ରକ୍ରିୟାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ସହ ଅପେକ୍ଷା ମଧ୍ୟ ରହିଛି। ଏବେ ସମସ୍ତଙ୍କ ନଜର ନିଲାମ ପ୍ରକ୍ରିୟା ଉପରେ। କେଉଁ ବ୍ୟବସାୟୀଙ୍କୁ କେଉଁ ପ୍ଲଟ୍ ମିଳୁଛି, ତାହା ଜାଣିବାକୁ ଅପେକ୍ଷା କରିଛନ୍ତି ବ୍ୟବସାୟୀ ମହଲ।