ଭୁବନେଶ୍ୱର : ପଶ୍ଚିମ ଉତ୍ତର ପଶ୍ଚିମକୁ ଗତି କରି ଆଜି ରାତି ୧୧ରୁ ଭୋର୍ ୪ଟା ଭିତରେ ଉପକୂଳ ଅତିକ୍ରମ କରିବ ବାତ୍ୟା। ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ନରସାପୁର ମଧ୍ୟରେ, ବିଶେଷ କରି ଓଙ୍ଗୋଲ୍ ନିକଟରେ ଲ୍ୟାଣ୍ଡଫଲ୍ କରିବ।ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୧୦ କିଲୋମିଟର ଏବଂ ସର୍ବାଧିକ ଝଟକା ପବନ ୧୨୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ଏହା ସିଧାସଳଖ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରୁନଥିଲେ ମଧ୍ୟ ଏହାର ପ୍ରଭାବରେ ୪ ତାରିଖ ଯାଏ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ୭୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବା ଆଶଙ୍କା ରହିଛି।
ପ୍ରବଳ ବର୍ଷା ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି।
ପ୍ରଭାବିତ ଅଞ୍ଚଳରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।