ଭୁବନେଶ୍ୱର: ଓଡ଼ିଶା ସମେତ ସମଗ୍ର ଦେଶର ଚିକିତ୍ସା ଜଗତ ପାଇଁ ଚିନ୍ତାଜନକ ଖବର। ବିଶିଷ୍ଟ ନ୍ୟୁରୋ ସର୍ଜନ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (AIIMS)ରେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଅନୁସାରେ, ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୨୭ ତାରିଖରୁ ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା ଜାରି ରହିଛି। ବରିଷ୍ଠ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ଆଶିଷ ସୁରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି।
ଡାକ୍ତର ମହାପାତ୍ରଙ୍କ ଅସୁସ୍ଥତା ଖବର ପ୍ରଚାର ହେବା ପରେ ଚିକିତ୍ସା ଜଗତ, ଶିକ୍ଷାବିତ୍ ଓ ତାଙ୍କ ଶୁଭେଚ୍ଛୁଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ତାଙ୍କର ଶୀଘ୍ର ସୁସ୍ଥତା କାମନା କରି ବିଭିନ୍ନ ମହଲରୁ ପ୍ରାର୍ଥନା କରାଯାଉଛି।
ଚିକିତ୍ସା କ୍ଷେତ୍ରରେ ରହିଛି ଅନନ୍ୟ ଅବଦାନ
ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଶୋକ କୁମାର ମହାପାତ୍ର ଜଣେ ପ୍ରତିଷ୍ଠିତ ନାମ। ଦୀର୍ଘ ବର୍ଷ ଧରି ଚିକିତ୍ସା, ଗବେଷଣା ଓ ମେଡିକାଲ ଶିକ୍ଷା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଏହି ଅବଦାନ ପାଇଁ ୨୦୨୪ ମସିହାରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା। ବର୍ତ୍ତମାନ ସେ ଶିକ୍ଷା ଓ ଅନୁସନ୍ଧାନ (SOA) ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ବିଜ୍ଞାନ ବିଭାଗର ପ୍ରମୁଖ ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଉଛନ୍ତି।
ଏମ୍ସ ଭୁବନେଶ୍ୱରର ପ୍ରଥମ ନିର୍ଦ୍ଦେଶକ ଥିଲେ
ପ୍ରଶାସନିକ ଦକ୍ଷତା ଓ ଚିକିତ୍ସା କ୍ଷେତ୍ରରେ ନେତୃତ୍ୱ ପାଇଁ ମଧ୍ୟ ଡାକ୍ତର ମହାପାତ୍ର ବେଶ୍ ପରିଚିତ। ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ସେ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଏହାପୂର୍ବରୁ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (SGPGI)ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ନୂଆଦିଲ୍ଲୀ ଏମ୍ସରେ ନ୍ୟୁରୋ ସର୍ଜରୀ ବିଭାଗର ମୁଖ୍ୟ ଏବଂ ଗବେଷଣା ଡିନ୍ ଭାବେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି।