ନୂଆଦିଲ୍ଲୀ: ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଏବଂ କଳହ ହେବା ସ୍ୱାଭାବିକ । କିନ୍ତୁ ଏହି କଳହ ଗର୍ଭପାତ ପାଇଁ ଯଥେଷ୍ଟ କାରଣ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଜଣେ ମହିଳାଙ୍କ ଦ୍ୱାରା ଗର୍ଭପାତ ଅନୁମତି ପାଇଁ କରାଯାଇଥିବା ଆବେଦନର ଶୁଣାଣି ସମୟରେ କହିଛନ୍ତି ।
ଆବେଦନକାରୀ ମହିଳା ଛଅ ମାସରୁ ଅଧିକ ସମୟର ଗର୍ଭଧାରଣ କରିବା ପରେ ଗର୍ଭପାତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ଅନୁମତି ଲୋଡ଼ିଛନ୍ତି। ସେ ନିଜ ସ୍ୱାମୀ ଏବଂ ଶାଶୁଘର ଲୋକଙ୍କ ବିରୋଧରେ ଦୁର୍ବ୍ୟବହାରର ଅଭିଯୋଗ ଆଣିଛନ୍ତି। ସୁପ୍ରିମକୋର୍ଟ ନ୍ୟାୟାଧୀଶ ବି.ଭି. ନାଗରତ୍ନା ଏବଂ ନ୍ୟାୟାଧୀଶ ଆର୍. ମହାଦେବନଙ୍କୁ ନେଇ ଗଠିତ ଦୁଇ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।
ଅନ୍ୟପକ୍ଷରେ, ସ୍ୱାମୀ ଏହି ଆବେଦନକୁ ବିରୋଧ କରି ଯୁକ୍ତି ଦର୍ଶାଇଛନ୍ତି ଯେ ଅଜନ୍ମିତ ସନ୍ତାନ ଉପରେ ତାଙ୍କର ମଧ୍ୟ ଅଧିକାର ରହିଛି । ଏ ସମ୍ପର୍କ ସୁପ୍ରିମକୋର୍ଟ କହିଛନ୍ତି ଯେ କେବଳ ଦାମ୍ପତ୍ୟ କଳହ ଗର୍ଭପାତ ପାଇଁ ଆଧାର ହୋଇପାରିବ ନାହିଁ। ଏହା ସମାଜକୁ କେଉଁ ଦିଗକୁ ନେଇଯିବ ବୋଲି ପ୍ରଶ୍ନ କରିଛନ୍ତି । ବିଚାରପତି କହିଛନ୍ତି ଯେ ଦୁଷ୍କର୍ମ, ଯୌନ ନିର୍ଯାତନା କିମ୍ବା ଭ୍ରୂଣରେ କୌଣସି ଜଟିଳ ତ୍ରୁଟି ଥିବା କ୍ଷେତ୍ରରେ ଗର୍ଭପାତ ପାଇଁ ଅନୁମତି ଦିଆଯାଇପାରେ, କିନ୍ତୁ ଏ ମାମଲା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।
ସମ୍ପୃକ୍ତ ମହିଳାଙ୍କୁ ଉଦ୍ଦେଶ୍ୟ କରି ଖଣ୍ଡପୀଠ କହିଛନ୍ତି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହେବା କିମ୍ବା ପରସ୍ପର ବିରୁଦ୍ଧରେ କିଛି କହିବା ଏକ ସାଧାରଣ କଥା, କିନ୍ତୁ ଏହା ଗର୍ଭପାତ କରିବା ପାଇଁ ଯଥେଷ୍ଟ କାରଣ ହୋଇପାରିବ ନାହିଁ। ଏହା କୌଣସି ଯୌନ ଉତ୍ପୀଡ଼ନର ମାମଲା ନୁହେଁ କିମ୍ବା ଏହା ଏପରି କୌଣସି ଘଟଣା ନୁହେଁ ଯେଉଁଠାରେ ଜଣେ ମହିଳା ବୈବାହିକ ସମ୍ପର୍କ ବାହାରେ ଗର୍ଭଧାରଣ କରିଛନ୍ତି। ଯଦି ଜଣେ ପତ୍ନୀ ନିଜ ସ୍ୱାମୀ ଓ ଶାଶୁଘର ଲୋକଙ୍କ ସହ ବିବାଦ କାରଣରୁ ଗର୍ଭପାତ କରିବାକୁ ଚାହାଁନ୍ତି, ତେବେ ଏହା ଆମ ସମାଜର ଗତିପଥ ବିଷୟରେ କ’ଣ ସୂଚାଉଛି ଏବଂ ପିତାଙ୍କ ଅଧିକାର ବିଷୟରେ କ’ଣ କୁହାଯାଇପାରେ?"
ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି ସେ ଗର୍ଭଧାରଣ ଜାରି ରଖିବାକୁ ଚାହାଁନ୍ତି ନାହିଁ ଏବଂ ଛାଡ଼ପତ୍ର ମଧ୍ୟ ନେବାକୁ ଚାହୁଁଛନ୍ତି। ଅନ୍ୟପକ୍ଷରେ, ସ୍ୱାମୀ କହିଲେ ଯେ ଶିଶୁଟି ଜନ୍ମ ହେବା ପରେ ସେ ତାହାର ଦାୟିତ୍ୱ ନେବେ ଏବଂ ଯତ୍ନ ନେବେ। ସେ ଗର୍ଭପାତ ପାଇଁ ଅନୁମତି ନ ଦେବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ସ୍ୱାମୀ ।
ମହିଳାଙ୍କ ସ୍ୱାମୀ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇଛନ୍ତି । ତେଣୁ ମହିଳା ଜଣକ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଖଣ୍ଡପୀଠ ସ୍ୱାମୀଙ୍କୁ ଜଣାଇଲେ ଯେ ଯଦି ସେ ସମ୍ପର୍କ ସୁଧାରିବା ଦିଗରେ ପ୍ରଥମ ପଦକ୍ଷେପ ନେବାକୁ ଚାହାଁନ୍ତି, ତେବେ ତାଙ୍କୁ ପ୍ରଥମେ କୋର୍ଟରେ ଏକ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ, ଯେଉଁଥିରେ ସେ ନିଜ ପତ୍ନୀଙ୍କ ବିରୁଦ୍ଧରେ ଆଣିଥିବା ସମସ୍ତ ଅଭିଯୋଗ ପ୍ରତ୍ୟାହାର କରିନେବେ । କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ବୁଧବାର ଦିନ ଧାର୍ଯ୍ୟ କରିଛନ୍ତି।