ନୂଆଦିଲ୍ଲୀ: କୌଣସି ବି ସଂଗଠନ, ବ୍ୟକ୍ତି କିମ୍ବା ପ୍ରଦର୍ଶନକାରୀ କୌଣସି ବି ପ୍ରତିବାଦସ୍ଥଳକୁ ସବୁ ଦିନ ପାଇଁ କବଜା କରି ରଖି ପାରିବେ ନାହିଁ। ଏମିତି ସ୍ପଷ୍ଟ ଶବ୍ଦରେ କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ଏମିତି ସ୍ଥଳ ଉପରେ କେବଳ ଏକ ନିର୍ଦ୍ଧାରିତ ସମୟ ପାଇଁ କବଜା କରି ପାରିବେ। ଯଦ୍ଵାରା ଅନ୍ୟ ସଂଗଠନ ମଧ୍ୟ ଏହାର ବ୍ୟବହାର କରି ପାରିବେ। ଦେଶର ପ୍ରଧାନ ବିଚାରପତି(CJI) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚୀ ଓ ଜଷ୍ଟିସ ଭି ମୋହନାଙ୍କ ପୀଠ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସଂପର୍କିତ ଯାଚିକା ଉପରେ ଶୁଣାଣି କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି।
CJI ସୂର୍ଯ୍ୟକାନ୍ତ କହିଛନ୍ତି, ଆପଣ ସର୍ବଦା ପାଇଁ କୌଣସି ସ୍ଥାନକୁ କବଜା କରି ପାରିବେ ନାହିଁ। କାରଣ ଆହୁରି ଅନେକ ପ୍ରଦର୍ଶନକାରୀ ଅଛନ୍ତି। ଆପଣ ଯଦି ଏମିତି କରିବେ କୃଷକ ସଂଗଠନ କୁଆଡ଼େ ଯିବେ ? ଟ୍ରେଡ ୟୁନିୟନ କେଉଁଆଡ଼େ ଯିବେ ? ବାସହୀନ ଲୋକ କୁଆଡ଼େ ଯିବେ ? ପ୍ରତ୍ୟେକଙ୍କୁ ବିରୋଧ କରିବାର ଅଧିକାର ରହିଛି। ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ବିକ୍ଷୋଭ କାରଣରୁ ଦିନ ମଜୁରିଆଙ୍କ ହେଉଥିବା କ୍ଷତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ବିରୋଧ କରିବାର ଅଧିକାର ସମ୍ବିଧାନ ସମସ୍ତଙ୍କୁ ଦେଇଛି। ସେହିପରି ବ୍ୟବସାୟୀ ସଂଗଠନର ମଧ୍ୟ ଏଠାରେ ଆନ୍ଦୋଳନ କରିବାର ଅଧିକାର ରହିଛି। ଏଠାରେ ବ୍ୟବସାୟ ଅର୍ଥ କେବଳ ବ୍ୟବସାୟିକ ପ୍ରତିଷ୍ଠାନ ନୁହେଁ ବରଂ ଦିନ ମଜୁରିଆଙ୍କ ଆଜୀବିକା ସାଧନର କଥା କହୁଛୁ।ସେହି ଲୋକେ ନିଜର ରୋଜଗାର ପାଇଁ କୁଆଡ଼େ ଯିବେ ?
ବ୍ୟବସାୟୀଙ୍କ କ୍ଷତି ଘଟିଥିବା ଆସିଲା ଅଭିଯୋଗ
ପୀଠ କିରାନା କମିଟି ଦିଲ୍ଲୀର ଯାଚିକା ସମେତ ଅନେକ ଯାଚିକା ଉପରେ ଶୁଣାଣି କରିଛନ୍ତି। ଏଥିରେ ରାମଲୀଲା ମଇଦାନରେ ମହାମେଣ୍ଟର ବିଶାଳ ପ୍ରଦର୍ଶନ କାରଣରୁ ବ୍ୟବସାୟୀଙ୍କ ହୋଇଥିବା କ୍ଷତିର ମଧ୍ୟ ଉଲ୍ଲେଖ ରହିଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ବ୍ୟବସାୟୀକ ସଂଗଠନକୁ କହିଛନ୍ତି ଯେ, କାରବାର କ୍ଷତି ହୋଇଥିବା ଅଭିଯୋଗ ଯାଚିକାରେ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ବିରୋଧରେ ପ୍ରଦର୍ଶନ କରିଥିବା ସଂଗଠନକୁ ମଧ୍ୟ ପକ୍ଷକାର କରନ୍ତୁ।
ପ୍ରଦର୍ଶନରେ ବନ୍ଦ ରହିଲା ସବୁ ଦୋକାନ
ବ୍ୟବସାୟୀ ସଂଗଠନ ପକ୍ଷରୁ ହାଜର ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ କହିଛନ୍ତି ପ୍ରଦର୍ଶନ ସ୍ଥଳର ଆଖପାଖ ଅଞ୍ଚଳରେ ୫୦ ଲକ୍ଷ ଲୋକ ବସବାସ କରୁଛନ୍ତି। ଆନ୍ଦୋଳନ ଦିନ ସବୁ ଦୋକାନ ବନ୍ଦ ରହିଲା ଏବଂ ସେହି ଦିନ କନ୍ନଟ ପ୍ଲେସରେ ମଧ୍ୟ କୌଣସି ଦୋକାନ ଖୋଲା ନ ଥିଲା। ସୁପ୍ରିମକୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ବ୍ୟବସାୟୀକ ସଂଗଠନ ପ୍ରଦର୍ଶନ କରୁଥିବା ସମସ୍ତ ସଂଗଠନକୁ ମାମଲାରେ ପକ୍ଷକାର କରି ନାହାନ୍ତି ସେ ପର୍ଯ୍ୟନ୍ତ କୌଣସି ବି ଅଦାଲତ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ।