ଗୌହ୍ୱାଟୀ: ଆସାମର ଗୌହ୍ୱାଟୀରେ “ହୋଟେଲ ବିଲାସ ଇନ୍” ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଘନକାନ୍ତ ଗୋଗୋଇ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି । ବୁଧବାର ଭୋର ୩.୩୦ ସମୟରେ ଗୌରୀସାଗର ଥାନା ଅନ୍ତର୍ଗତ ରୋଙ୍ଗମନ ଢାବା ନିକଟରେ ପୋଲିସ ଘନକାନ୍ତକୁ ଏନକାଉଣ୍ଟର କରିଛି ।
ଶିବସାଗର ପୋଲିସ ଏସପି, ପାପୋରୀ ଚୈତିୟାଙ୍କ ସୂଚନା ଅନୁସାରେ, ଘନକାନ୍ତ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ଏକ ଋଣ ଠକେଇ ମାମଲାରେ ଜଡ଼ିତ ଥିଲା । ଉକ୍ତ ମାମଲାର ତଦନ୍ତ ପାଇଁ ଶିବସାଗର ଥାନାର ଏକ ପୋଲିସ ଟିମ୍ ଘନକାନ୍ତକୁ ଗୌହ୍ୱାଟୀକୁ ଆଣୁଥିଲା । ଘନକାନ୍ତ ପରିଶ୍ରା ଯିବା ବାହାନାରେ ଗାଡ଼ିରୁ ଓହ୍ଲାଇଥିଲା । ଗାଡ଼ି ଅଟକିବା ପରେ ତୁରନ୍ତ ପୋଲିସଠାରୁ ସର୍ଭିସ୍ ବନ୍ଧୁକ ଛଡ଼ାଇ ନେଇ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା । ପୋଲିସର ଜବାବୀ ଗୁଳିରେ ଘନକାନ୍ତ ଟଳି ପଡ଼ିଥିଲା ।
ଏଥିରେ ଏସ୍ଆଇ ଦେବାଶୀଷ ଶର୍ମା ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଅକ୍ଟୋବର ୨୬ ତାରିଖ ରାତିରେ , ଜିଏସ୍ ରୋଡର ବୋରା ସର୍ଭସ୍ ନିକଟରେ ଥିବା “ହୋଟେଲ ବିଲାସ ଇନ୍”ରେ ରାତି ଅଧରେ ଭୟଙ୍କର ଗୁଳିକାଣ୍ଡ ହୋଇଥିଲା । ହୋଟେଲ ମାଲିକ ଏବଂ ଲିଜଧାରୀ ଘନକାନ୍ତ ଗୌଗୋଇଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏହି ସମୟରେ ଘନକାନ୍ତ ଆଖିବୁଜା ଗୁଳି ଚାଳନା କରି ଫେରାର ହୋଇଯାଇଥିଲା । ଏଥିରେ ମାଲିକଙ୍କ ପରିବାର ୪ ଜଣ ସଦସ୍ୟଙ୍କ ସମେତ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅନ୍ୟ ୬ ଜଣ ଲୋକ ଆହତ ହୋଇଥିଲେ ।