କଟକ: ଏଥର ବାଲିଯାତ୍ରାରେ ରହିବ ନୂଆ ଆକର୍ଷଣ। ପଲିଥିନ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ପରିବେଶ ସୁରକ୍ଷା ସହ ଏହି ମହୋତ୍ସବକୁ ଅନ୍ତର୍ଜାତୀୟ ସ୍ତରରେ ଆକର୍ଷଣୀୟ କରିବାକୁ ଚାଲିଛି ବଡ଼ ପ୍ରସ୍ତୁତି। ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ସପ୍ତାହବ୍ୟାପୀ ଏହି ମହାମେଳା।
ବାଲିଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କାର ଅନୁଦାନ ପ୍ରସ୍ତାବ ରହିଛି। ମଙ୍ଗଳବାର ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆୟୋଜନ ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଛି।
୫୦୦ ଷ୍ଟଲ୍ରେ ଝଲସିବ ଓଡ଼ିଶାର କଳା ଓ କାରିଗରୀ
ଏଥର ବାଲିଯାତ୍ରାରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶେଷ ଗୁରୁତ୍ୱ ଦିଆଯିବ। ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି (ORMAS) ପକ୍ଷରୁ ୫୦୦ଟି ଷ୍ଟଲ୍ ଖୋଲାଯିବ। ଏହାଦ୍ୱାରା ସ୍ଥାନୀୟ କାରିଗର ଓ ଶିଳ୍ପୀମାନେ ନିଜର ପାରମ୍ପରିକ କଳାକୃତି ଓ ଉତ୍ପାଦକୁ ପ୍ରଦର୍ଶନ କରିବା ସହ ବିକ୍ରିର ସୁଯୋଗ ପାଇବେ।
ବାଲିଯାତ୍ରାକୁ ଆସିପାରନ୍ତି ବାଲିର ପ୍ରତିନିଧି ଦଳ
ଏଥର ବାଲିଯାତ୍ରାକୁ ଅନ୍ତର୍ଜାତୀୟ ରୂପ ଦେବା ପାଇଁ ମଧ୍ୟ ଯୋଜନା ହୋଇଛି। ବାଲିରୁ ଏକ ପ୍ରତିନିଧି ଦଳ ଏହି ମହୋତ୍ସବକୁ ଆସିବାର ସମ୍ଭାବନା ରହିଛି। ପ୍ରାଚୀନ କଳିଙ୍ଗ ଓ ବାଲି ଦ୍ୱୀପ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଏହା ଆହୁରି ମଜଭୁତ କରିବ।
‘କଟକ ଇନ୍ କଟକ’ ପ୍ୟାଭିଲିୟନରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହାସହ ଏକ ଡିଜିଟାଲ୍ ଇନଫର୍ମେସନ୍ ୱାଲ୍ ମାଧ୍ୟମରେ ବାଲି ଓ କଳିଙ୍ଗର ପ୍ରାଚୀନ ସମ୍ପର୍କ, ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ଦର୍ଶକମାନେ ଜାଣିପାରିବେ।
ପରିବେଶ ସୁରକ୍ଷା ସହ ଐତିହ୍ୟର ପ୍ରଚାର
ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ପରିବେଶ ଅନୁକୂଳ ଓ ଐତିହ୍ୟ ସମୃଦ୍ଧ କରିବାକୁ ଆୟୋଜକମାନେ ଯୋଜନା କରିଛନ୍ତି। ମେଳାର ସୁପରିଚାଳନା, ଦର୍ଶକଙ୍କ ସୁବିଧା ଓ ଅନ୍ୟାନ୍ୟ ବ୍ୟବସ୍ଥା ନେଇ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା ହୋଇଛି। ଏଥର ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ବରଂ ଓଡ଼ିଶାର ଐତିହ୍ୟ, ପରମ୍ପରା ଓ ପରିବେଶ ସଚେତନତାର ଏକ ବଡ଼ ମଞ୍ଚ ହେବାକୁ ଯାଉଛି।