ଗଞ୍ଜାମ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ୮ ଜଣିଆ ଟିମ୍ ବାତ୍ୟା ‘ଅର୍ଣ୍ଣବ’ ଓ ଏହା ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ଆଜି ଗଞ୍ଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରୁଛନ୍ତି। ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରବି ଶଙ୍କରଙ୍କ ନେତୃତ୍ୱରେ ଗଠିତ ଏହି ପ୍ରତିନିଧି ଦଳ ପ୍ରଭାବିତ ଗ୍ରାମଗୁଡ଼ିକ ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଏହି କେନ୍ଦ୍ରୀୟ ଟିମ୍ ମଙ୍ଗଳବାର ପ୍ରଥମେ ଗଜପତି ଜିଲ୍ଲା ଗସ୍ତ କରି ସାରିବା ପରେ ଆଜି ବୁଧବାର ଗଞ୍ଜାମ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି। ଜିଲ୍ଲାର ବନ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳ ପରିଦର୍ଶନ କରିବେ।
ବାତ୍ୟା ଓ ପ୍ରବଳ ଜଳପ୍ରଳୟ ଯୋଗୁଁ କୃଷି, ଗମନାଗମନ,ରାସ୍ତାଘାଟ, ବିଦ୍ୟୁତ୍ ଯୋଗାଣ, ଭିତ୍ତିଭୂମି ଏବଂ ଜଳସମ୍ପଦ ଆଦି କ୍ଷେତ୍ରରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଏହି ଟିମ୍ ପ୍ରତ୍ୟକ୍ଷ ସମୀକ୍ଷା କରୁଛି। ପ୍ରଭାବିତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଚାଲିଥିବା ଉଦ୍ଧାର, ରିଲିଫ୍ ଏବଂ ଥଇଥାନ କାର୍ଯ୍ୟର ମଧ୍ୟ ଏହି ପ୍ରତିନିଧି ଦଳ ସମୀକ୍ଷା କରୁଛନ୍ତି।
ଏହି ଦଳରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସମେତ କୃଷି, ଅର୍ଥ, ଜଳ ଶକ୍ତି, ଶକ୍ତି, ସଡ଼କ ପରିବହନ ଓ ରାଜପଥ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏବଂ ଇସ୍ରୋର ପ୍ରତିନିଧିମାନେ ରହିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରାଥମିକ ଆକଳନ ରିପୋର୍ଟ ସହ ତୁଳନା କରିବା ପାଇଁ ଏହି କେନ୍ଦ୍ରୀୟ ଟିମ୍ ନିଜସ୍ୱ ଏକ ସ୍ୱତନ୍ତ୍ର କ୍ଷେତ୍ରୀୟ ରିପୋର୍ଟ ପ୍ରସ୍ତୁତ କରିବେ, ଯାହା ଆଧାରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶାକୁ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ପ୍ରାୟ ୨୨ଟି ବ୍ଲକ୍ର ଅନେକ ଗ୍ରାମ ଏହି ବନ୍ୟା ଦ୍ୱାରା ଗମ୍ଭୀର ଭାବେ ପ୍ରଭାବିତ ହୋଇଛି। ଜିଲ୍ଲାପାଳ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କେନ୍ଦ୍ରୀୟ ଟିମ୍ର ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରେ ସହଯୋଗ କରୁଛନ୍ତି।