ନୂଆଦିଲ୍ଲୀ: ଭୋଟର ତାଲିକାରେ ପୂର୍ବରୁ ନାମ ଥିଲା, ହେଲେ ଏବେ SIR ଡ୍ରାଫ୍ଟ ଭୋଟର ଲିଷ୍ଟରେ ନାମ ଦେଖାଯାଉନାହିଁ କି? ତେବେ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏଭଳି ଭୋଟରଙ୍କୁ ପୁଣି ଥରେ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ପାଇଁ ସୁଯୋଗ ଦେଇଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ସେମାନେ Form 6 ଦାଖଲ କରିପାରିବେ। ଏହାକୁ ନେଇ କୌଣସି ଆଇନଗତ ଭୟ ରଖିବା ଦରକାର ନାହିଁ ବୋଲି କମିଶନ ସ୍ପଷ୍ଟ କରିଛନ୍ତି।
ମଙ୍ଗଳବାର ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ। ବର୍ତ୍ତମାନ ଚାଲିଥିବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ପ୍ରକ୍ରିୟାରେ ଅନେକ ପୁରୁଣା ଭୋଟରଙ୍କ ନାମ ଡ୍ରାଫ୍ଟ ତାଲିକାରେ ନଥିବାରୁ ସେମାନେ ନୂଆ ଆବେଦନ କରିବାକୁ ଦ୍ୱିଧାରେ ଥିବା କମିଶନଙ୍କ ନଜରକୁ ଆସିଥିଲା।
Form 6 ଦାଖଲ କଲେ ହେବନି ମାମଲା
ନିର୍ବାଚନ କମିଶନଙ୍କ ଏହି ସ୍ପଷ୍ଟୀକରଣ ପଛରେ ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଦ୍ୱନ୍ଦ୍ୱ। Form 6ରେ ଆବେଦନକାରୀ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ସାମିଲ କରିବାକୁ ଆବେଦନ କରୁଥିବା ନେଇ ଘୋଷଣା କରିବାକୁ ପଡ଼ିଥାଏ।
ଏପରି ସ୍ଥିତିରେ ପୂର୍ବରୁ ଭୋଟର ଥିବା ବ୍ୟକ୍ତି ପୁଣି Form 6 ଭରିଲେ ଏହାକୁ ମିଥ୍ୟା ଘୋଷଣା ବୋଲି ଧରାଯାଇପାରେ ଏବଂ ଜନପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଅନେକ ଭୋଟର ଆଶଙ୍କା କରୁଥିଲେ।
କିନ୍ତୁ କମିଶନ ସ୍ପଷ୍ଟ କରିଛନ୍ତି ଯେ, ପୂର୍ବରୁ ଭୋଟର ଥିବା ବ୍ୟକ୍ତିଙ୍କ ନାମ SIR ଡ୍ରାଫ୍ଟ ତାଲିକାରୁ ବାଦ୍ ପଡ଼ିଥିଲେ, କେବଳ ପୁଣି ଥରେ Form 6 ଦାଖଲ କରିବା ମିଥ୍ୟା ଘୋଷଣା ଭାବେ ବିବେଚିତ ହେବ ନାହିଁ।
କେଉଁ ପରିସ୍ଥିତିରେ ହୋଇପାରିବ କାର୍ଯ୍ୟାନୁଷ୍ଠାନ ?
ଏହି ପ୍ରସଙ୍ଗରେ ନିର୍ବାଚନ କମିଶନ ଏକ ସର୍ତ୍ତ ମଧ୍ୟ ସ୍ପଷ୍ଟ କରିଛନ୍ତି। ଯଦି ଜଣେ ବ୍ୟକ୍ତି ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ପଞ୍ଜୀକୃତ ଅଛନ୍ତି କିମ୍ବା ଜାଣିଶୁଣି ଭୁଲ୍ ତଥ୍ୟ ଓ ବେଆଇନ ଘୋଷଣା ଦେଇଛନ୍ତି, ତେବେ ତାଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯାଇପାରିବ।
କେବଳ ପୁରୁଣା ଭୋଟର ହୋଇ ମଧ୍ୟ SIR ଡ୍ରାଫ୍ଟ ତାଲିକାରେ ନାମ ନଥିବା କାରଣରୁ Form 6 ଦାଖଲ କରିଥିଲେ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଧାରା ୩୧ ଅନୁସାରେ ମାମଲା ଆରମ୍ଭ କରିପାରିବେ ନାହିଁ।