ନୂଆଦିଲ୍ଲୀ: ଭାରତର ଡିଜିଟାଲ୍ ଭବିଷ୍ୟତକୁ ନେଇ ଦେଶର ଦୁଇ ବଡ଼ ଶିଳ୍ପପତିଙ୍କ ମଧ୍ୟରେ ଆରମ୍ଭ ହୋଇଛି ବଡ଼ ପ୍ରତିଯୋଗିତା। ଗୋଟିଏ ପଟେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଏଆଇ (AI) କ୍ଷେତ୍ରରେ ବିପୁଳ ନିବେଶ ଯୋଜନା କରୁଥିବାବେଳେ, ଅନ୍ୟପଟେ ଗୌତମ ଆଦାନୀ ଡାଟା ସେଣ୍ଟର ବ୍ୟବସାୟରେ ବଡ଼ ଦାଉ ଖେଳିବାକୁ ଯାଉଛନ୍ତି। ନିଜ ଡାଟା ସେଣ୍ଟର ବ୍ୟବସାୟର ସମ୍ପ୍ରସାରଣ ପାଇଁ ଅଡାନୀ ଗ୍ରୁପ୍ ପ୍ରାୟ ୧.୫ ବିଲିୟନ ଡଲାର ବା ୧୨,୫୦୦ କୋଟିରୁ ଅଧିକ ଟଙ୍କାର ବିଦେଶୀ ଋଣ ଉଠାଇବାକୁ ଯୋଜନା କରୁଥିବା ରିପୋର୍ଟ ସାମ୍ନାକୁ ଆସିଛି।
୧.୫ ବିଲିୟନ ଡଲାର ଋଣ ପାଇଁ ବିଦେଶୀ ବ୍ୟାଙ୍କ ସହ ଆଲୋଚନା
ରିପୋର୍ଟ ଅନୁସାରେ, ଆଦାନୀ ଗ୍ରୁପ୍ର ଯୁଗ୍ମ ଉଦ୍ୟୋଗ କମ୍ପାନୀ ଅଡାନୀକନେକ୍ସ ପ୍ରାଇଭେଟ୍ (AdaniConneX Pvt.) ଏହି ଋଣ ଉଠାଇବା ପ୍ରକ୍ରିୟାରେ ଆଗରେ ରହିଛି। ଏହି କମ୍ପାନୀ ଡାଟା ସେଣ୍ଟର ଅପରେଟର EdgeConneX ସହ ମିଶି ଗଠିତ ହୋଇଛି। ଏହି ବିଦେଶୀ ଋଣ ପାଇଁ ଡିବିଏସ୍ ଗ୍ରୁପ୍, ଫର୍ଷ୍ଟ ଆବୁଧାବି ବ୍ୟାଙ୍କ (FAB), ମିତ୍ସୁବିସି UFJ ଫାଇନାନ୍ସିଆଲ୍ ଗ୍ରୁପ୍ (MUFG) ସମେତ ଅନେକ ବଡ଼ ଅନ୍ତର୍ଜାତୀୟ ବ୍ୟାଙ୍କ ସହ ଆଲୋଚନା ଚାଲିଥିବା ସୂତ୍ରରୁ ଜଣାପଡ଼ିଛି।
ଏହାବ୍ୟତୀତ ନାଟିକ୍ସିସ୍ (Natixis), ING ବ୍ୟାଙ୍କ ଏବଂ ସୋସାଇଟି ଜେନେରାଲ୍ (Societe Generale) ଭଳି ଗ୍ଲୋବାଲ୍ ଫାଇନାନ୍ସିଂ ସଂସ୍ଥା ସହ ମଧ୍ୟ ଆଲୋଚନା ହେଉଛି। ଏହି ଋଣର ଅବଧି ୫ରୁ ୭ ବର୍ଷ ହୋଇପାରେ। ତେବେ ସୁଧ ହାର ଓ ଅନ୍ୟାନ୍ୟ ସର୍ତ୍ତ ଏଯାଏଁ ଚୂଡ଼ାନ୍ତ ହୋଇନାହିଁ।
୨୦୩୫ ସୁଦ୍ଧା ୧୦୦ ବିଲିୟନ ଡଲାର ନିବେଶ ଲକ୍ଷ୍ୟ
ଆଦାନୀ ଗ୍ରୁପ୍ ଏବେ କେବଳ ଶକ୍ତି କ୍ଷେତ୍ରରେ ନୁହେଁ, ଡିଜିଟାଲ୍ ଇନଫ୍ରାଷ୍ଟ୍ରକ୍ଚର କ୍ଷେତ୍ରରେ ମଧ୍ୟ ନିଜର ପ୍ରଭାବ ବଢ଼ାଇବାକୁ ଚାହୁଁଛି। ୨୦୩୫ ସୁଦ୍ଧା ଡାଟା ସେଣ୍ଟର ସମେତ ଅନ୍ୟ ଡିଜିଟାଲ୍ ଭିତ୍ତିଭୂମିରେ ପ୍ରାୟ ୧୦୦ ବିଲିୟନ ଡଲାର ନିବେଶ କରିବାର ଯୋଜନା ରହିଛି। ଏହି ନୂଆ ଋଣ ଯୋଜନାକୁ ଏହି ବଡ଼ ଲକ୍ଷ୍ୟର ଏକ ଅଂଶ ଭାବେ ଦେଖାଯାଉଛି। ଉଲ୍ଲେଖଯୋଗ୍ୟ, କିଛି ମାସ ପୂର୍ବରୁ ଅଡାନୀକନେକ୍ସ ୮୦୦ ମିଲିୟନ ଡଲାରର ଡାଟା ସେଣ୍ଟର ଋଣ ହାସଲ କରିଥିଲା। ଏହି ଋଣର ଅବଧି ୧୮ ମାସ ଥିଲା।
ଅମ୍ବାନୀ ମଧ୍ୟ ପଛରେ ନାହାନ୍ତି, AIରେ ୧୧୦ ବିଲିୟନ ଡଲାର ନିବେଶ ଯୋଜନା
ଡାଟା ସେଣ୍ଟର ଓ ଏଆଇ ଭିତ୍ତିଭୂମି କ୍ଷେତ୍ରରେ ଅଡାନୀଙ୍କୁ କଡ଼ା ଟକ୍କର ଦେବାକୁ ରିଲାଏନ୍ସ ମଧ୍ୟ ପ୍ରସ୍ତୁତ। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ଆଗାମୀ ୭ ବର୍ଷ ମଧ୍ୟରେ ଏଆଇ ଭିତ୍ତିଭୂମି କ୍ଷେତ୍ରରେ ୧୧୦ ବିଲିୟନ ଡଲାର ପର୍ଯ୍ୟନ୍ତ ନିବେଶ କରିବାର ଯୋଜନା ରଖିଛି। ଏହି ଦୁଇ ବଡ଼ କମ୍ପାନୀଙ୍କ ନିବେଶ ଯୋଜନା ଭାରତର ଡିଜିଟାଲ୍ ଇନଫ୍ରାଷ୍ଟ୍ରକ୍ଚର ବଜାରକୁ ନୂଆ ଦିଗ ଦେଇପାରେ।
କାହିଁକି ବଢ଼ୁଛି ଡାଟା ସେଣ୍ଟରର ଚାହିଦା?
ବର୍ତ୍ତମାନ ଏଆଇ, କ୍ଲାଉଡ୍ କମ୍ପ୍ୟୁଟିଂ ଓ ଡିଜିଟାଲ୍ ସେବାର ବ୍ୟବହାର ଦ୍ରୁତ ଗତିରେ ବଢ଼ୁଛି। ଏହି ସେବାଗୁଡ଼ିକୁ ଚାଲୁ ରଖିବା ପାଇଁ ବିପୁଳ ଡାଟା ସଂରକ୍ଷଣ ଓ ପ୍ରୋସେସିଂ କ୍ଷମତା ଆବଶ୍ୟକ। ଏଥିପାଇଁ ଡାଟା ସେଣ୍ଟରର ଗୁରୁତ୍ୱ ବଢ଼ିଯାଇଛି।
ଏହି କ୍ଷେତ୍ରରେ ଭାରତ ଏକ ବଡ଼ ବଜାର ଭାବେ ଉଭା ହେଉଛି। ରିପୋର୍ଟ ଅନୁସାରେ, ଅଗଷ୍ଟ ୨୦୨୬ ସୁଦ୍ଧା ଭାରତର ଡାଟା ସେଣ୍ଟର କ୍ଷମତା ପ୍ରାୟ ୧.୫୭ ଗିଗାୱାଟ୍ ଥିଲା। ୨୦୩୦ ସୁଦ୍ଧା ଏହା ପ୍ରାୟ ୮ ଗିଗାୱାଟ୍ରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଆଗାମୀ ୭ରୁ ୮ ବର୍ଷ ମଧ୍ୟରେ ଭାରତର ଡାଟା ସେଣ୍ଟର ବଜାରରେ ପ୍ରାୟ ୨୦୦ ବିଲିୟନ ଡଲାର ନିବେଶ ଆସିବାର ସମ୍ଭାବନା ରହିଛି।
ଡିଜିଟାଲ୍ ଭାରତରେ ଆରମ୍ଭ ହେବ କର୍ପୋରେଟ୍ ମହାଲଢ଼େଇ?
ଗୋଟିଏ ପଟେ ଆଦାନୀଙ୍କ ୧୦୦ ବିଲିୟନ ଡଲାରର ଡିଜିଟାଲ୍ ଭିତ୍ତିଭୂମି ନିବେଶ ଲକ୍ଷ୍ୟ, ଅନ୍ୟପଟେ ଅମ୍ବାନୀଙ୍କ ୧୧୦ ବିଲିୟନ ଡଲାରର AI ନିବେଶ ଯୋଜନା। ଦୁଇ ଶିଳ୍ପଗୋଷ୍ଠୀଙ୍କ ଏହି ବଡ଼ ଯୋଜନା ଭାରତର ଡାଟା ସେଣ୍ଟର ଓ AI ବଜାରରେ ନୂଆ ପ୍ରତିଯୋଗିତା ସୃଷ୍ଟି କରିବାକୁ ଯାଉଛି। ଏହାର ପ୍ରଭାବ ଆଗାମୀ ଦିନରେ ଦେଶର ଡିଜିଟାଲ୍ ଅର୍ଥନୀତି ଉପରେ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର।