ହାଇଦ୍ରାବାଦ: ତେଲେଙ୍ଗାନାର ମେହବୁବନଗର ଜିଲ୍ଲାରେ ଏକ ଲୋମହର୍ଷକାରୀ ହତ୍ୟାକାଣ୍ଡ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି । ଜମିବାଡ଼ି ବିବାଦକୁ ନେଇ ବୋହୂର ମୁଣ୍ଡକାଟି ଅଲଗା କରିଦେଇଛନ୍ତି ଶାଶୁ ଘର ଲୋକେ । ଶାଶୁ, ଶ୍ୱଶୁର ଏବଂ ଦିଅର- ଯାଆ ମିଶି ମହିଳାଙ୍କ ବେକରେ ଗାମୁଛା ପକାଇ ଟାଣି ଟାଣି ନେବା ସହିତ ତାଙ୍କୁ ଗଳା କାଟି ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଛନ୍ତି । ମୃତ ମହିଳାଙ୍କୁ ସୁନିତା ନାଏକ ନାମରେ ଚିହ୍ନଟ କରାଯାଇଛି ।
ପୋଲିସ ସୂଚନା ଅନୁସାରେ, ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମେହବୁବନଗର ଅନ୍ତର୍ଗତ ଓବୁଲୟାପଲ୍ଲୀ ଗ୍ରାମର ସୁନିତାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ନିର୍ଦ୍ଦୟ ଭାବେ ହତ୍ୟା କରିଛନ୍ତି । ସୋମବାର ଅପରାହ୍ନରେ ସୁନିତା କୋଇଲକୋଣ୍ଡା ସ୍ଥିତ ନିଜ ଚାଷ ଜମିକୁ ଯାଉଥିବାବେଳେ ତାଙ୍କ ଶ୍ୱଶୁର ମାଣିକ୍ୟ ନାଏକ, ଦେଢ଼ଶୁର ମାନ୍ୟା ନାଏକ ଓ ଦିଅର ପାଣ୍ଡୁ ନାଏକ ଏବଂ ପାଣ୍ଡୁଙ୍କ ପତ୍ନୀ ପାର୍ବତୀ ତାଙ୍କୁ ଘେରି ଯାଇଥିଲେ । ଏହା ପରେ ସୁନିତାଙ୍କ ବେକରେ ଏକ କପଡ଼ା ବାନ୍ଧି ତାଙ୍କୁ ଘୋଷାଡ଼ି ଘୋଷାଡ଼ି ଘରକୁ ନେଇଥିଲେ । ସେଠାରେ ଛୁରୀରେ ଆକ୍ରମଣ କରିବା ପରେ ତାଙ୍କ ବେକ କାଟି ଦେଇଥିଲେ ।
ସୁନିତାଙ୍କ ପିତା ଭାଲ୍ୟା ନାଏକଙ୍କ ଶ୍ୱଶୁର ଘର ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଭାଲ୍ୟାଙ୍କ ଅଭିଯୋଗ ଆଧାରରେ ପୋଲିସ ବିଏନଏସ୍ ଧାରା ୧୦୧ ଏବଂ ୧୦୩ ଅଧୀନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଘଟଣା ପରଠାରୁ ସମସ୍ତ ଚାରି ଅଭିଯୁକ୍ତ କେଉଁଆଡ଼େ ଫେରାର ହୋଇଯାଇଛନ୍ତି । ପୋଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ।
ଦେଢ଼ ଏକର ଜମି ପାଇଁ ହତ୍ୟା
ପ୍ରାୟ ୧୨ ବର୍ଷ ପୂର୍ବେ ସୁନିତାଙ୍କ ବିବାହ ଚିନ୍ଥାଲର ବାସିନ୍ଦା ବଳରାମଙ୍କ ସହ ବିବାହ ହୋଇଥିଲା। ସେମାନଙ୍କର ଦୁଇଟି ଝିଅ ଅଛନ୍ତି। ବଳରାମ ମାନସିକ ସମସ୍ୟାରେ ପୀଡ଼ିତ ଥିବାରୁ ଅଧିକାଂଶ ସମୟରେ ଝଗଡ଼ା ହୁଏ । ଏହା ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସୁନୀତା ଏବଂ ପିଲାଙ୍କ ଭବିଷ୍ୟତ ପାଇଁ ଶ୍ୱଶୁର ଦେଢ଼ ଏକର ଜମି ବୋହୂ ନାମରେ କରି ଦେଇଥିଲେ । କିନ୍ତୁ ବଳରାମଙ୍କ ଦୁଇ ଭାଇ ପାଣ୍ଡୁ ଏବଂ ମାନ୍ୟା ଏଥିରେ ଅସନ୍ତୁଷ୍ଟ ଥିଲେ । ଶ୍ୱଶୁର ଘର ଲୋକେ ଜାଣିଶୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ରହିବାକୁ ଦେଉନଥିବାରୁ ସୁନୀତା ନିଜ ବାପଘରେ ରହୁଥିଲେ । ତାଙ୍କ ବାପା-ମା' ତାଙ୍କୁ ବୁଝାଇ ଚିନ୍ଥାଲ ଫେରାଇ ଆଣିଥିଲେ ତାଙ୍କ ପାଇଁ ଏକ ଘର ନିର୍ମାଣ କରାଇ ଦେଇଥିଲେ। ସେ ଗତ ଏକ ମାସ ଧରି ନିଜର ଦୁଇ ଝିଅଙ୍କ ସହ ସେଠାରେ ରହୁଥିଲେ। ତଥାପି ଶ୍ୱଶୁର ଘର ଲୋକେ ଜମି ଛାଡ଼ିବାକୁ ବାରମ୍ବାର ଚାପ ପକାଉଥିଲେ ।