ଭୁବନେଶ୍ୱର: ଓଡ଼ିଶାରେ କୋଟି କୋଟି ଟଙ୍କାର କଥିତ ଟ୍ରେଡିଂ ଠକେଇ ଓ ମନି ଲଣ୍ଡରିଂ ଅଭିଯୋଗକୁ ନେଇ ଆକ୍ସନ ମୋଡ୍ରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED)। ଅନୁଗୁଳରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ଚଢ଼ାଉ କରି ତଦନ୍ତ ଚଳାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। କୋଲକାତାର ଏକ ଟ୍ରେଡିଂ କମ୍ପାନୀ ସହ ଜଡ଼ିତ ଆର୍ଥିକ ଠକେଇ ମାମଲାରେ ୭୦ କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ ହୋଇଥିବା ଅଭିଯୋଗ ରହିଛି।
ମୟୂରଭଞ୍ଜରେ ସନ୍ଦିଗ୍ଧଙ୍କ ଘରେ ED ରେଡ୍
ବୁଧବାର ସକାଳୁ ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ବିଶୋଳ ଗାଁର ଈଶ୍ୱର ବିନ୍ଧାଣୀଙ୍କ ଘରେ ଚଢ଼ାଉ କରିଛି ED। ଓଡ଼ିଶାରେ କୋଲକାତାଭିତ୍ତିକ ଟ୍ରେଡିଂ କମ୍ପାନୀର କାର୍ଯ୍ୟକଳାପ ପରିଚାଳନା କରୁଥିବା ସନ୍ଦେହରେ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି।
ତଦନ୍ତକାରୀଙ୍କ ସନ୍ଦେହ ଅନୁସାରେ, ବିନ୍ଧାଣୀ ମୟୂରଭଞ୍ଜ, କଟକ, ଭୁବନେଶ୍ୱର ଓ ଜଗତସିଂହପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକଙ୍କଠାରୁ ୭୦ କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ କରିଥିବା ଅଭିଯୋଗ ରହିଛି। ଏହି ଟଙ୍କା କୋଲକାତାର ଟ୍ରେଡିଂ କମ୍ପାନୀ ପକ୍ଷରୁ ସଂଗ୍ରହ କରାଯାଇଥିବା ସନ୍ଦେହ କରାଯାଉଛି।
ଏହି ଆର୍ଥିକ କାରବାରକୁ ନେଇ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିବା ପରେ ED ତଦନ୍ତ ଆରମ୍ଭ କରିଥିଲା। ବୁଧବାର ତିନି ଜଣିଆ ED ଟିମ୍ ଦୁଇ ଜଣ ବ୍ୟାଙ୍କ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହ ତାଙ୍କ ଘରେ ଯାଞ୍ଚ କରିଥିଲେ।
ଅନୁଗୁଳରେ ବି ଟ୍ରେଡିଂ ଠକେଇ ଲିଙ୍କ୍ରେ ଚଢ଼ାଉ
ଅନ୍ୟପଟେ ଅନୁଗୁଳ ସହରର ଅମଲାପଡ଼ା ଷଷ୍ଠ ଲାଇନ୍ରେ ଥିବା ଏକ କମର୍ସିଆଲ୍ କମ୍ପ୍ଲେକ୍ସରେ ମଧ୍ୟ ED ପକ୍ଷରୁ ଚଢ଼ାଉ କରାଯାଇଛି। କଥିତ ବେଆଇନ ଟ୍ରେଡିଂ ଓ ମନି ଲଣ୍ଡରିଂ ନେଟୱର୍କ ସହ ସ୍ଥାନୀୟ ଲିଙ୍କ୍ ଥିବା ସନ୍ଦେହରେ ଏହି ଯାଞ୍ଚ ହୋଇଛି।
ଚାରି ଜଣିଆ ED ଟିମ୍ CRPF ଯବାନଙ୍କ ସୁରକ୍ଷାରେ କମ୍ପ୍ଲେକ୍ସରେ ପହଞ୍ଚିଥିଲେ। ସେଠାରେ ବିଭିନ୍ନ ଦସ୍ତାବିଜ୍, ଡିଜିଟାଲ୍ ରେକର୍ଡ ଓ ଆର୍ଥିକ କାରବାର ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି।
ଟଙ୍କା କାରବାରର ଖୋଲିବ କି ଗୁମର?
ଏହି କଥିତ ଟ୍ରେଡିଂ ନେଟୱର୍କରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, କେଉଁ ଉପାୟରେ ଟଙ୍କା ସଂଗ୍ରହ ହୋଇଛି ଏବଂ ଏହାର ଆର୍ଥିକ ନେଟୱର୍କ କେତେ ବ୍ୟାପକ, ସେନେଇ ତଦନ୍ତ ଚଳାଇଛି ED।
ମୟୂରଭଞ୍ଜ ଓ ଅନୁଗୁଳରେ ଚାଲିଥିବା ଚଢ଼ାଉରୁ କେଉଁ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହାକୁ ନେଇ ଏବେ ଅପେକ୍ଷା ରହିଛି। ତଦନ୍ତ ଶେଷ ହେବା ପରେ ହିଁ ଏହି କଥିତ ଆର୍ଥିକ ଠକେଇର ପୂରା ଚିତ୍ର ସ୍ପଷ୍ଟ ହେବ।