ନୂଆଦିଲ୍ଲୀ: ଦେଶର ସହରାଞ୍ଚଳ ପରିବହନ ବ୍ୟବସ୍ଥାକୁ ଆହୁରି ଆଧୁନିକ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ। ମହାରାଷ୍ଟ୍ରର ପୁଣେରେ ୮,୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ମେଟ୍ରୋ ଲାଇନ୍-୩ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଦେଶରେ ମେଟ୍ରୋ ନେଟୱର୍କର ବିସ୍ତାରକୁ ନେଇ ପୂର୍ବ ସରକାରଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି ସେ।
ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ କହିଛନ୍ତି, ୨୦୧୪ ପୂର୍ବରୁ ଦେଶର ମାତ୍ର ୫ଟି ସହରରେ ୨୪୮ କିଲୋମିଟର ମେଟ୍ରୋ ନେଟୱର୍କ ଥିଲା। କିନ୍ତୁ ଆଜି ୨୬ଟି ସହରରେ ପ୍ରାୟ ୧,୨୦୦ କିଲୋମିଟର ମେଟ୍ରୋ ନେଟୱର୍କ କାର୍ଯ୍ୟକ୍ଷମ ହୋଇଛି। ପ୍ରତିଦିନ ଏକ କୋଟିରୁ ଅଧିକ ଲୋକ ମେଟ୍ରୋରେ ଯାତ୍ରା କରୁଛନ୍ତି। ଯଦି ୨୦୧୪ ପୂର୍ବରୁ ଯେଉଁ ଗତିରେ ମେଟ୍ରୋ ନେଟୱର୍କ ବଢ଼ୁଥିଲା, ସେହି ଗତି ଜାରି ରହିଥାନ୍ତା, ତେବେ ପୁଣେ ଭଳି ସହରକୁ ମେଟ୍ରୋ ପାଇଁ ବର୍ଷ ନୁହେଁ, ବରଂ ଦଶନ୍ଧି ଅପେକ୍ଷା କରିବାକୁ ପଡ଼ିଥାନ୍ତା ବୋଲି ସେ କହିଛନ୍ତି।
କାହିଁକି ଖାସ୍ ପୁଣେର ପିଙ୍କ୍ ଲାଇନ୍?
ପୁଣେ ମେଟ୍ରୋର ପିଙ୍କ୍ ଲାଇନ୍ ପ୍ରାୟ ୨୩ କିଲୋମିଟର ଲମ୍ବା। ଏହା ହିଞ୍ଜେୱାଡିର ଆଇଟି ହବ୍କୁ ସିଧାସଳଖ ଶିବାଜୀନଗର ସହ ଯୋଡ଼ିବ। ଏହି ମେଟ୍ରୋର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହାକୁ ସମ୍ପୂର୍ଣ୍ଣ ମହିଳା ଟ୍ରେନ୍ ଅପରେଟର୍ ପରିଚାଳନା କରିବେ। ଏହା ସହ ମେଟ୍ରୋର ମୋଟ ବିଦ୍ୟୁତ୍ ଆବଶ୍ୟକତାର ପ୍ରାୟ ୩୦ ପ୍ରତିଶତ ସୌର ଶକ୍ତିରୁ ପୂରଣ କରିବାର ଯୋଜନା ରହିଛି।
୧୩,୫୦୦ କୋଟିର ଫେଜ୍-୨କୁ ମଧ୍ୟ ଶିଳାନ୍ୟାସ
ପିଙ୍କ୍ ଲାଇନ୍ ଉଦ୍ଘାଟନ ସହ ପ୍ରଧାନମନ୍ତ୍ରୀ ପୁଣେ ମେଟ୍ରୋର ଦ୍ୱିତୀୟ ପର୍ଯ୍ୟାୟର ମଧ୍ୟ ଶିଳାନ୍ୟାସ କରିଛନ୍ତି। ପ୍ରାୟ ୧୩,୫୦୦ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହେବାକୁ ଯୋଜନା ରହିଛି। ଏଥିରେ ମେଟ୍ରୋ ଲାଇନ୍ ୨A, ୨B, ୪ ଓ ୪A ସାମିଲ ରହିଛି।
ଲାଇନ୍ ୨A ୱାନାଜ୍କୁ ଚାନ୍ଦନୀ ଚୌକ୍ ସହ ଏବଂ ଲାଇନ୍ ୨B ରାମୱାଡିକୁ ବିଠଲୱାଡି ସହ ଯୋଡ଼ିବ। ସେହିପରି ୬.୧୨ କିଲୋମିଟର ଲମ୍ବା ଲାଇନ୍ ୪A ନଲ୍ ଷ୍ଟପ୍ରୁ ମାଣିକ ବାଗ୍ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ କରିବ।
ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପୁଣେର ଯାତାୟାତ ବ୍ୟବସ୍ଥା ଆହୁରି ସୁଗମ ହେବା ସହ ଟ୍ରାଫିକ୍ ସମସ୍ୟା କମିବ ଏବଂ ସହରବାସୀଙ୍କ ଯାତ୍ରା ସମୟ ବଞ୍ଚିବ ବୋଲି ଆଶା କରାଯାଉଛି।