ନୂଆଦିଲ୍ଲୀ: ଦୀପାବଳି ଓ ଛଟ୍ ପୂଜା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ଆହୁରି ଖରାପ ହେଲେ କୃତ୍ରିମ ବର୍ଷା କରାଇବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର। ସୂତ୍ର ଅନୁସାରେ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଏହି ବିକଳ୍ପ ଉପରେ ବିଚାର କରୁଛନ୍ତି। ରାଜଧାନୀରେ ବାୟୁର ମାନ ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଥିବା ବେଳେ ଅନେକ ଅଞ୍ଚଳରେ AQI ସ୍ତର ୪୦୦ ଅତିକ୍ରମ କରିଛି।
ବର୍ତ୍ତମାନ ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୩୬୭ ରହିଛି, ଯାହା ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ଆସୁଛି। ଉତ୍ତର ଦିଲ୍ଲୀର ଜାହାଙ୍ଗୀରପୁରୀରେ AQI ସର୍ବାଧିକ ୪୫୯ ରେକର୍ଡ ହୋଇଥିବା ବେଳେ IIT ଦିଲ୍ଲୀ ଓ ପଞ୍ଜାବୀ ବାଗ୍ରେ ଏହା ୪୪୫ ରହିଛି। ବାୟୁରେ PM2.5 କଣିକାର ମାତ୍ରା ଅଧିକ ଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ୁଛି। ଘନ କୁହୁଡ଼ିଆ ଧୂଆଁ ଯୋଗୁଁ ଦୃଶ୍ୟମାନତା ମଧ୍ୟ କମିଯାଇଛି। ଶ୍ୱାସକ୍ରିୟାରେ ଅସୁବିଧା ନେଇ ଲୋକେ ଅଭିଯୋଗ କରୁଛନ୍ତି।
୧୫ ଦିନରେ ଦୁଇଥର କୃତ୍ରିମ ବର୍ଷା ପରୀକ୍ଷଣ
ପ୍ରଦୂଷଣ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ ସରକାର ଦୁଇଥର କୃତ୍ରିମ ବର୍ଷାର ପରୀକ୍ଷଣ କରିଥିବା ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀ ବିମାନବନ୍ଦର ନିକଟରେ ମଧ୍ୟ ଏକ ପରୀକ୍ଷଣ ହୋଇଥିଲା। ଏଥର ପ୍ରାୟ ୩୦ ହଜାର ମିଟର ଉଚ୍ଚତାରେ କ୍ଲାଉଡ୍ ସିଡିଂ ପ୍ରକ୍ରିୟା କରାଯାଇଥିବା କୁହାଯାଉଛି।
କ'ଣ ଏହି କୃତ୍ରିମ ବର୍ଷା?
କ୍ଲାଉଡ୍ ସିଡିଂ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା। ଏଥିରେ ସିଲଭର ଆୟୋଡାଇଡ୍ ଓ ଡ୍ରାଏ ଆଇସ୍ ଭଳି ପଦାର୍ଥ ମେଘରେ ପ୍ରୟୋଗ କରାଯାଇ ବର୍ଷା କିମ୍ବା ତୁଷାରପାତକୁ ଉତ୍ସାହିତ କରାଯାଏ। ବିମାନ, ରକେଟ୍ କିମ୍ବା ଭୂମିରେ ଥିବା ଯନ୍ତ୍ର ମାଧ୍ୟମରେ ଏହି ପ୍ରକ୍ରିୟା କରାଯାଇପାରେ।
ତେବେ ବିଶେଷଜ୍ଞଙ୍କ ମତରେ, କୃତ୍ରିମ ବର୍ଷା ପ୍ରଦୂଷଣକୁ ସାମୟିକ ଭାବେ କମାଇପାରେ, କିନ୍ତୁ ଏହା ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ। ପ୍ରଦୂଷଣର ମୂଳ କାରଣ ନିୟନ୍ତ୍ରଣ ନକଲେ ଦୀର୍ଘକାଳୀନ ଲାଭ ମିଳିବ ନାହିଁ ବୋଲି Envirocatalystsର ପ୍ରତିଷ୍ଠାତା ସୁନୀଲ ଦହିୟା କହିଛନ୍ତି।
ଦୀପାବଳିରେ ସବୁଜ ବାଣକୁ ସୁପ୍ରିମକୋର୍ଟଙ୍କ ଅନୁମତି
ଅନ୍ୟପଟେ, ଦିଲ୍ଲୀ-NCRରେ ନଭେମ୍ବର ୭ ଓ ୮ ତାରିଖରେ ପ୍ରମାଣିତ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି। ସକାଳ ୬ଟାରୁ ୭ଟା ଏବଂ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ସମୟ ଧାର୍ଯ୍ୟ ହୋଇଛି। ନଭେମ୍ବର ୯ରୁ ପୁଣି ସମ୍ପୂର୍ଣ୍ଣ କଟକଣା ଲାଗୁ ହେବ।
ସେହିପରି ଦିଲ୍ଲୀ-NCRରେ GRAP-2 କଟକଣା ମଧ୍ୟ ଲାଗୁ ହୋଇଛି। ନିର୍ମାଣ କାର୍ଯ୍ୟରୁ ଉଡ଼ୁଥିବା ଧୂଳି ନିୟନ୍ତ୍ରଣ, ଡିଜେଲ୍ ଜେନେରେଟର ବ୍ୟବହାର ଉପରେ କଟକଣା, ରାସ୍ତାରେ ପାଣି ସିଞ୍ଚନ ଓ ଯାନବାହନ ଚଳାଚଳ ନିୟନ୍ତ୍ରଣ ଭଳି ପଦକ୍ଷେପ ନିଆଯାଇଛି।
ଏବେ ସମସ୍ତଙ୍କ ନଜର ଦୀପାବଳି ଓ ଛଟ୍ ପୂଜା ପରବର୍ତ୍ତୀ ପ୍ରଦୂଷଣ ସ୍ଥିତି ଉପରେ। ବାୟୁର ମାନ ଆହୁରି ଖରାପ ହେଲେ ଦିଲ୍ଲୀରେ କୃତ୍ରିମ ବର୍ଷା ହିଁ ହେବ କି ପରବର୍ତ୍ତୀ ବଡ଼ ପଦକ୍ଷେପ, ତାହା ଦେଖିବାକୁ ରହିଲା।