ସରିଲା ଦୀର୍ଘଦିନର ଅପେକ୍ଷା। ବଡ଼ ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ମେଗା ବଜେଟ୍ ଫିଲ୍ମ 'ରାମାୟଣ ପାର୍ଟ-୧'। ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଏହି ମହାକାବ୍ୟ ଆଧାରିତ ଫିଲ୍ମକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି। ପ୍ରାୟ ୨୦୦୦ କୋଟି ଟଙ୍କାର ବିଶାଳ ବଜେଟ୍ରେ ନିର୍ମିତ ଏହି ଫିଲ୍ମରେ ରଣବୀର କପୁର ଶ୍ରୀରାମ, ସାଇ ପଲ୍ଲବୀ ମାତା ସୀତା ଏବଂ ୟଶ୍ ରାବଣ ଭୂମିକାରେ ନଜର ଆସିଛନ୍ତି।
ଦେବତା ଓ ଅସୁରଙ୍କ ଯୁଦ୍ଧରୁ ଆରମ୍ଭ କାହାଣୀ
ଫିଲ୍ମର କାହାଣୀ ଆରମ୍ଭ ହୋଇଛି ପକ୍ଷୀରାଜ ଜଟାୟୁଙ୍କଠାରୁ। ତାଙ୍କ ଚରିତ୍ରକୁ ନିଜ ସ୍ୱର ଦେଇଛନ୍ତି ଅନୁପମ ଖେର। ଜଟାୟୁଙ୍କ ବର୍ଣ୍ଣନା ମାଧ୍ୟମରେ ଦର୍ଶକଙ୍କୁ ନିଆଯାଇଛି ସେହି ପୌରାଣିକ ଯୁଗକୁ, ଯେଉଁଠାରେ ଦେବତା ଓ ଅସୁରଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ଏହି ଯୁଦ୍ଧରେ ଦେବତାମାନେ ବିଜୟୀ ହେବା ପରେ ଲଙ୍କାର ଶାସନ ଦାୟିତ୍ୱ କୁବେରଙ୍କୁ ଦିଆଯାଇଥିଲା। ଅନ୍ୟପଟେ ରାକ୍ଷସ କୁଳକୁ ଲଙ୍କା ଛାଡ଼ି ରସାତଳକୁ ଯିବାକୁ ପଡ଼ିଥିଲା।
ନିଜ କୁଳର ହଜିଯାଇଥିବା ଗୌରବ ଫେରାଇ ଆଣିବାକୁ ମାତା କୈକସୀ ପୁତ୍ର ଦଶାନନଙ୍କୁ ପ୍ରେରଣା ଦିଅନ୍ତି। ଏହାପରେ ଦଶାନନ କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତ କରନ୍ତି। ବରଦାନ ପାଇବା ପରେ ସେ କୁବେରଙ୍କଠାରୁ ଲଙ୍କାର ସିଂହାସନ ଛଡ଼ାଇ ନିଅନ୍ତି। ଧୀରେ ଧୀରେ ତାଙ୍କ ଅହଂକାର ଓ ଅତ୍ୟାଚାର ବଢ଼ିବାକୁ ଲାଗେ।
ଅତ୍ୟାଚାରର ଅନ୍ତ ପାଇଁ ଶ୍ରୀରାମଙ୍କ ଅବତାର
ରାବଣର ଅତ୍ୟାଚାରରେ ଯେତେବେଳେ ତିନିଲୋକ ଅତିଷ୍ଠ ହୋଇପଡ଼େ, ସେତେବେଳେ ଭଗବାନ ବିଷ୍ଣୁ ଶ୍ରୀରାମ ରୂପରେ ଧରାବତରଣ କରନ୍ତି। ଏହାପରେ ଆରମ୍ଭ ହୁଏ ରାମାୟଣର ସେହି ମହାନ ଗାଥା, ଯାହାକୁ ଭାରତୀୟମାନେ ପିଢ଼ି ପରେ ପିଢ଼ି ଶୁଣି ଆସୁଛନ୍ତି।
ଫିଲ୍ମରେ ରଣବୀରଙ୍କ ଶ୍ରୀରାମ ଅବତାର ଓ ୟଶଙ୍କ ଦଶାନନ ରୂପକୁ ନେଇ ବିଶେଷ ଉତ୍ସୁକତା ରହିଛି। ଅନ୍ୟପଟେ ଅନୁପମ ଖେରଙ୍କ ସ୍ୱରରେ ଜଟାୟୁଙ୍କ ଚରିତ୍ର ମଧ୍ୟ କାହାଣୀକୁ ଆକର୍ଷଣୀୟ କରିବ ବୋଲି ଆଶା କରାଯାଉଛି।
ତ୍ରେତୟା ଯୁଗର ଏହି ମହାଗାଥାକୁ ଆଧୁନିକ ଟେକ୍ନୋଲୋଜି ଓ ଭବ୍ୟ ଭିଜୁଆଲ୍ସ ସହ ବଡ଼ ପରଦାରେ ଦେଖାଇବାକୁ ନିର୍ମାତାଙ୍କ ଏହା ଏକ ବଡ଼ ପ୍ରୟାସ। ଏବେ ଦର୍ଶକଙ୍କ ଅପେକ୍ଷା, ଏହି ଫିଲ୍ମ କେତେଦୂର ସମସ୍ତଙ୍କ ମନ ଜିଣିପାରୁଛି।