ତାମିଲ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ବିଜୟ ସେଥୁପତି ତାଙ୍କର ଦମଦାର୍ ଅଭିନୟ ପାଇଁ ଜଣାଶୁଣା। ବର୍ତ୍ତମାନ ଅଭିନେତା ଜଣକ ଇଣ୍ଟରନେସନାଲ୍ ଏମି ଏୱାର୍ଡ୍ସରେ ପ୍ରେଜେଣ୍ଟର (ଉପସ୍ଥାପକ) ହେବାକୁ ଯାଉଛନ୍ତି। ଏଭଳି କରିବାରେ ବିଜୟ ହେବେ ପ୍ରଥମ ଭାରତୀୟ।
ସାଉଥ୍ ଅଭିନେତା ବିଜୟ ସେଥୁପତି ତାଙ୍କର ଦମଦାର୍ ଅଭିନୟ ପାଇଁ ଜଣାଶୁଣା। ତାଙ୍କର ଅନ୍ଦାଜକୁ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରନ୍ତି। ସେପଟେ, ବର୍ତ୍ତମାନ ବିଜୟ ସେଥୁପତିଙ୍କ ନାମରେ ଏକ ବଡ଼ ସଫଳତା ଯୋଡ଼ି ହେବାକୁ ଯାଉଛି। ତାମିଲ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ବିଜୟ ସେଥୁପତିଙ୍କୁ ନଭେମ୍ବର ୨୩, ୨୦୨୬ରେ ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିବା ୫୪ତମ ଇଣ୍ଟରନେସନାଲ୍ ଏମି ଏୱାର୍ଡ୍ସରେ ପ୍ରେଜେଣ୍ଟର ଭାବେ ଚୟନ କରାଯାଇଛି। 'THR India' ରୁ ମିଳିଥିବା ସୂଚନା ଅନୁଯାୟୀ, ବିଜୟ ସେଥୁପତି ଏହି ପ୍ରତିଷ୍ଠିତ ସମାରୋହରେ ପୁରସ୍କାର ପ୍ରଦାନ କରିବାକୁ ଥିବା ପ୍ରଥମ ଭାରତୀୟ ହେବେ।
ବିଜୟ ସେଥୁପତିଙ୍କ ଏହି ସଫଳତା ଗ୍ଲୋବାଲ୍ ଏଣ୍ଟରଟେନମେଣ୍ଟ ଦୁନିଆରେ ଭାରତୀୟ କଳାକାରମାନଙ୍କ ବର୍ଦ୍ଧିତ ପରିଚୟକୁ ଦର୍ଶାଉଛି। ତାଙ୍କୁ ଏହି ବଡ଼ ମଞ୍ଚ ପର୍ଯ୍ୟନ୍ତ ପହଞ୍ଚାଇବାରେ ଇଣ୍ଟରନେସନାଲ୍ ଏକାଡେମି ଅଫ୍ ଟେଲିଭିଜନ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ର ବୋର୍ଡ ମେମ୍ବର ତଥା ପ୍ରଯୋଜକ କବିତା ଗୁପ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ବୀର ଦାସ୍ ସାଜି ସାରିଛନ୍ତି ହୋଷ୍ଟ
କବିତା ଗୁପ୍ତା କ୍ରମାଗତ ଭାବରେ ଭାରତୀୟ କଳାକାରମାନଙ୍କୁ ଆନ୍ତର୍ଜାତୀୟ ମଞ୍ଚ ଏବଂ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ବଡ଼ ନେଟୱାର୍କରେ ପହଞ୍ଚାଇବା ପାଇଁ ପ୍ରୟାସ କରିଆସୁଛନ୍ତି। ବିଜୟ ସେଥୁପତିଙ୍କ ପୂର୍ବରୁ ଅଭିନେତା ବୀର ଦାସ୍ ଇଣ୍ଟରନେସନାଲ୍ ଏମି ଏୱାର୍ଡ୍ସରେ ହୋଷ୍ଟ ବନିଥିଲେ। ଏଥିରେ ମଧ୍ୟ କବିତା ଗୁପ୍ତା ଏକ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ବୀର ଦାସ୍ ଏହି ସମାରୋହକୁ ହୋଷ୍ଟ କରିଥିବା ପ୍ରଥମ ଭାରତୀୟ ବନିଥିଲେ।
ବିଜୟ ସେଥୁପତିଙ୍କ ଆଗାମୀ ଚଳଚ୍ଚିତ୍ର
ବିଜୟ ସେଥୁପତିଙ୍କୁ ଶେଷଥର ପାଇଁ ‘ବାଥା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ବାଲାଜୀ ଥରନୀଥରନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ଜଣେ ଗ୍ୟାଙ୍ଗଷ୍ଟରଙ୍କ ନୈତିକ ପରିବର୍ତ୍ତନର କାହାଣୀ ଦର୍ଶାଯାଇଥିଲା। ଚଳଚ୍ଚିତ୍ରଟି ସମୀକ୍ଷକମାନଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଥିଲା। ବର୍ତ୍ତମାନ ବିଜୟ ସେଥୁପତି ଖୁବଶୀଘ୍ର ମଣିରତ୍ନମଙ୍କ ଚଳଚ୍ଚିତ୍ର ‘ଇଞ୍ଜି ଭେଲ୍ଲମ୍’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହିତ ସାଇ ପଲ୍ଲବୀ ମଧ୍ୟ ନଜର ଆସିବେ। ଏହାଛଡ଼ା ସେ ତ୍ୟାଗରାଜନ କୁମାରରାଜାଙ୍କ ଚଳଚ୍ଚିତ୍ର ‘ପକେଟ୍ ନୋଭେଲ୍’ରେ ମଧ୍ୟ ଅଭିନୟ କରିବେ। ଏଥିରେ ତାଙ୍କ ସହିତ ରାଜ ବି ଶେଷୀ ଏବଂ ମାଲବିକା ମୋହନନ ପ୍ରମୁଖ ଭୂମିକାରେ ରହିବେ।