ମୁମ୍ବାଇ: 'ବେବି ଡଲ୍ ମେଁ ସୋନେ ଦି' ଭଳି ହିଟ୍ ଗୀତ ଦେଇଥିବା ବଲିଉଡ୍ ଗାୟିକା କନିକା କପୁରଙ୍କ ବୈବାହିକ ସମ୍ପର୍କରେ ଝଡ଼ ଉଠିଛି । ବିବାହର ଚାରି ବର୍ଷ ପରେ କନିକା ନିଜ ସ୍ୱାମୀଙ୍କଠାରୁ ଅଲଗା ହେବା ନେଇ ଘୋଷଣା କରିଛନ୍ତି ।
ଗାୟିକା କନିକା କାପୁର ଏକ ପୋଷ୍ଟ ମାଧ୍ୟମରେ ନିଜ ପ୍ରଶଂସକଙ୍କୁ ନିଜ ବିବାହ ବିଚ୍ଛେଦର ଖବର ଦେଇଛନ୍ତି । କନିକା କପୁର ଲେଖିଛନ୍ତି ଯେ ସେ ଏ ବିଷୟରେ ବହୁତ ଚିନ୍ତା କରିବା ପରେ ସେ ଏବଂ ତାଙ୍କ ସ୍ୱାମୀ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଏକାଠି ବିତାଇଥିବା ସମୟ ପାଇଁ ସେ ନିଜର କୃତଜ୍ଞତା ଜଣାଇଛନ୍ତି । ଏହା ସହିତ ତାଙ୍କ ସ୍ୱାମୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଏହି ବିଷୟରେ ସମ୍ବେଦନଶୀଳ ହୋଇ ତାଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେବାକୁ ସେ ଅନୁରୋଧ କରିଛନ୍ତି ।
ଦୀର୍ଘ ୧୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ କନିକା କପୁର ଏବଂ ଏନଆରଆଇ ବ୍ୟବସାୟୀ ଗୌତମ ହାଥିରମାଣୀଙ୍କ ବିବାହ ହୋଇଥିଲା । ୨୦୨୨, ମେ ୨୦ ତାରିଖରେ ଲଣ୍ଡନ ଠାରେ ଉଭୟ ପରିବାରର ଉପସ୍ଥିତିରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କନିକାଙ୍କର ଏହା ଦ୍ୱିତୀୟ ବିବାହ ଅଟେ । ସେ ୧୯୯୮ ମସିହାରେ ବ୍ୟବସାୟୀ ରାଜ ଚାନ୍ଦୋକଙ୍କୁ ବିବାହ କରିଥିଲେ। ସେହି ସମୟରେ କନିକା କପୁରଙ୍କ ବୟସ ମାତ୍ର ୧୮ ବର୍ଷ ଥିଲା। କନିକା ଏବଂ ରାଜଙ୍କର ତିନୋଟି ସନ୍ତାନ ଅଛନ୍ତି, ଦୁଇ ଝିଅ ଅନାୟା ଓ ସମାୟରା, ଏବଂ ପୁଅ ଯୁବରାଜ। ରାଜଙ୍କ ସହ ବିବାହ ପରେ, କନିକା କପୁର ଲଣ୍ଡନ ଚାଲିଯାଇଥିଲେ। ୨୦୧୨ ମସିହାରେ ସେ ନିଜ ସ୍ୱାମୀଙ୍କଠାରୁ ଅଲଗା ହୋଇଯାଇଥିଲେ ଏବଂ ଏହା ପରେ ସେ ଭାରତ ଫେରି ଆସି ଏଠାରେ ନିଜର ସଙ୍ଗୀତ କ୍ୟାରିୟର ଗଢ଼ି ତୋଳିଥିଲେ ।