ମୁମ୍ବାଇ: ଭାରତୀୟ କ୍ରିକେଟ ଦଳକୁ ଟି-ଟ୍ୱେଣ୍ଟି ବିଶ୍ୱ କପ୍ ଦେଇଥିବା ଅଧିନାୟକ ସୂର୍ୟ୍ୟକୁମାର ଯାଦବଙ୍କୁ ଆଉ ଦୁଇଟି ଦାୟିତ୍ୱ ମିଳିଛି । ସେ ଦୁଇଟି ଘରୋଇ ଟୁର୍ଣ୍ଣାମେଣ୍ଟର ମଙ୍ଗୁଆଳ ହେବେ । ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫି ପାଇଁ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ ହସ୍ତାନ୍ତର କରାଯାଇଛି । ସେ ମୁମ୍ବାଇ ପାଇଁ ଖେଳିବେ । ମୁମ୍ବାଇ କ୍ରିକେଟ୍ ଆସୋସିଏସନର ଚୟନ କମିଟିର ବରିଷ୍ଠ ସଦସ୍ୟ ଏହି ନିଷ୍ପତ୍ତି ନେଇଛନ୍ତି ।
ଆସନ୍ତା ନଭେମ୍ବର ୧୪ ତାରିଖରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ କୋଲକାତାରେ ହେବାକୁ ଥିବା ମ୍ୟାଚରେ ମୁମ୍ବାଇ ତାର ପ୍ରତିପକ୍ଷ ଦଳ ହାଇଦ୍ରାବାଦକୁ ଭେଟିବ । ଏଲିଟ ଗ୍ରୁପ ଡିରେ ମୁମ୍ବାଇ, ହାଇଦ୍ରାବାଦ, ଛତିଶଗଡ଼, ଗୋଆ, ଗୁଜରାଟ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ବିଦର୍ଭ ଅଛନ୍ତି । ଏହି ମ୍ୟାଚ୍ ଧଳା ବଲରେ ଖେଳାଯିବ । ଏଯାଏ ଟିମ୍ ଚୟନ ହୋଇ ନାହିଁ । ଏଥିପାଇଁ ନଭେମ୍ବର ୭ ଏବଂ ୯ ତାରିଖରେ ଅଭ୍ୟାସ ମ୍ୟାଚ୍ ଖେଳାଯିବ । ନଭେମ୍ବର ୯ ତାରିଖରେ ମୁମ୍ବାଇ ଟିମ୍ ଘୋଷଣା କରିବ ।
୨୦୨୬ ଟି-ଟ୍ୱେଣ୍ଟି ବିଶ୍ୱ କପରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଦଳ ଚମତ୍କାର ପ୍ରଦର୍ଶନ କରି ବିଜୟ ନିଜ ନାମରେ କରିଥିଲା । ଏହା ପରେ ସେ ଘରୋଇ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ଗତ ମାସରେ ହୋଇଥିବା ରଣଜୀ ଟ୍ରଫିରେ ସୂର୍ୟ୍ୟକୁମାରଙ୍କୁ ସ୍ଥାନ ମିଳିନଥିଲା । ତେଣୁ ତାଙ୍କ ପାଇଁ ଏହି ଘୋଷଣା ବେଶ ଗୁରୁତ୍ୱ ବହନ କରେ । ରଣଜୀ ଟ୍ରଫିରେ ରେଡ୍ ବଲ୍ ଖେଳାଯାଉଥିବାରୁ ସୂର୍ୟ୍ୟକୁମାରଙ୍କର ସେଥିରେ ଅଭିଜ୍ଞତା କମ୍ ରହିଛି । ସେଥିପାଇଁ ତାଙ୍କୁ ଚୟନ କରାଯାଇ ନାହିଁ ବୋଲି ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ କହିଥିଲା ।
ରଣଜୀ ଟ୍ରଫିରୁ ବାସନ୍ଦ ହେବା ପରେ, ସୂର୍ୟ୍ୟକୁମାରଙ୍କ ଧଳା ବଲ୍ ଅଧିନାୟକତ୍ୱ ତାଙ୍କ ଘରୋଇ ସିଜିନ୍ ପାଇଁ ଏକ ନୂତନ ଆରମ୍ଭ। ମୁମ୍ବାଇ ତାଙ୍କଠାରୁ କେବଳ ବଡ଼ ଇନିଂସ ଆଶା କରିବ ନାହିଁ, ବରଂ ଏପରି ନେତୃତ୍ୱ ମଧ୍ୟ ଆଶା କରିବ ଯାହା ଦଳକୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ଟାଇଟଲ କରାଇପାରିବ।