ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ରୀୟ ନିର୍ବାଚନ କମିଶନ। ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଭୋଟରଙ୍କୁ ପୁଣିଥରେ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଇବାକୁ ୭ଟି ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ତାଲିକାରେ ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, ନାଗାଲାଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଝାଡ଼ଖଣ୍ଡ ରହିଛି।
ନିର୍ବାଚନ କମିଶନଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ଯେଉଁ ଭୋଟରଙ୍କ ନାମ ଡ୍ରାଫ୍ଟ ଭୋଟର ତାଲିକାରୁ କଟିଯାଇଛି, ସେମାନଙ୍କ ସ୍ଥିତି ପୁଣିଥରେ ଯାଞ୍ଚ କରାଯିବ। ଏଥିପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO) ସମ୍ପୃକ୍ତ ଭୋଟରଙ୍କ ଘରକୁ ଯାଇ ଯାଞ୍ଚ କରିବେ। ସେମାନେ ପୂର୍ବ ଠିକଣାରେ ରହୁଛନ୍ତି କି ନାହିଁ, ତାହା ନିଶ୍ଚିତ କରିବେ।
ଏହାସହ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ଲୋକଙ୍କ ନାମର ତାଲିକା ସମ୍ପୃକ୍ତ ପୋଲିଂ ବୁଥ୍ରେ ଲଗାଇବାକୁ ମଧ୍ୟ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଭୋଟରମାନେ ନିଜ ନାମ ଯାଞ୍ଚ କରିପାରିବେ ଏବଂ ନାମ ବାଦ୍ ପଡ଼ିଥିଲେ ତାହାକୁ ପୁନର୍ବାର ଯୋଡ଼ିବା ପାଇଁ ଆବେଦନ କରିପାରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଫର୍ମ ମଧ୍ୟ ଜାରି କରାଯାଇଛି।
କମିଶନଙ୍କ ସୂଚନା ଅନୁସାରେ, ଯେଉଁ ଭୋଟରଙ୍କୁ ନ୍ୟୁମେରେସନ୍ ଫର୍ମ ଦିଆଯାଇଥିଲା, କିନ୍ତୁ ଯାଞ୍ଚ ସମୟରେ ସେମାନଙ୍କୁ ଅନୁପସ୍ଥିତ, ସ୍ଥାନାନ୍ତରିତ, ମୃତ କିମ୍ବା ଡୁପ୍ଲିକେଟ୍ ଭୋଟର ଭାବେ ଚିହ୍ନଟ କରାଯାଇ ତାଲିକାରୁ ବାଦ୍ ଦିଆଯାଇଥିଲା, ସେମାନେ ଏହି ସୁଯୋଗ ପାଇପାରିବେ।
ଅନ୍ୟପଟେ, ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବାକୁ ନିର୍ବାଚନ କମିଶନ ଅଧିକାରୀମାନଙ୍କୁ କହିଛନ୍ତି। କୌଣସି ଯୋଗ୍ୟ ଭୋଟର ଯେପରି ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ତାହା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏଥିସହ ଭୁଲ୍ ଓ ନକଲି ଭୋଟରଙ୍କ ନାମ ଯେପରି ପୁଣିଥରେ ତାଲିକାରେ ସାମିଲ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ।