ମୁମ୍ବାଇ: ବଡ଼ ପରଦାରେ ରିଲିଜ୍ ହେବା ମାତ୍ରେ ବକ୍ସ ଅଫିସ୍ରେ ଧମାଲ୍ କରିଛି ନୀତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’। ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଅଭିନୀତ ଏହି ଫିଲ୍ମ ପ୍ରଥମ ଦିନରେ ଭାରତରେ ୬୪.୮୫ କୋଟି ଟଙ୍କା ନେଟ୍ କଲେକ୍ସନ କରିଥିବା ରିପୋର୍ଟରେ ଦାବି କରାଯାଇଛି। ଏହାର ଗ୍ରସ୍ କଲେକ୍ସନ ୭୭.୫୦ କୋଟି ଟଙ୍କା ରହିଛି। ଅନ୍ୟପଟେ ବିଶ୍ୱବ୍ୟାପୀ ଗ୍ରସ୍ କଲେକ୍ସନ ୧୨୭.୫୦ କୋଟି ଟଙ୍କା ଛୁଇଁଛି।
ପ୍ରଥମ ଦିନରେ ୬୪.୮୫ କୋଟିର କଲେକ୍ସନ
ରିପୋର୍ଟ ଅନୁସାରେ, ଫିଲ୍ମଟି ପ୍ରଥମ ଦିନରେ ଦେଶରେ ୨୫,୨୦୦ଟି ଶୋ'ରୁ ଏହି ଆୟ କରିଛି। ହିନ୍ଦୀ ଭାଷାରେ ଫିଲ୍ମକୁ ସବୁଠାରୁ ଅଧିକ ଦର୍ଶକ ମିଳିଛନ୍ତି।
ଭାଷା ଅନୁସାରେ ପ୍ରଥମ ଦିନର କଲେକ୍ସନ:
- ହିନ୍ଦୀ: ୪୭.୫୦ କୋଟି ଟଙ୍କା
- କନ୍ନଡ଼: ୭.୨୫ କୋଟି ଟଙ୍କା
- ତେଲୁଗୁ: ୬ କୋଟି ଟଙ୍କା
- ତାମିଲ: ୨.୬୦ କୋଟି ଟଙ୍କା
- ମାଲାୟାଲମ୍: ୧.୫୦ କୋଟି ଟଙ୍କା
‘ପଠାନ୍’କୁ ପଛରେ ପକାଇଲା ରାମାୟଣ
ପ୍ରଥମ ଦିନର କଲେକ୍ସନ ଆଧାରରେ ଶାହରୁଖ ଖାନ୍ଙ୍କ ‘ପଠାନ୍’ (୫୭ କୋଟି) ଏବଂ ‘ଆନିମଲ୍’ (୬୩ କୋଟି)ର ଓପନିଂ କଲେକ୍ସନକୁ ପଛରେ ପକାଇଛି ‘ରାମାୟଣ’। କିନ୍ତୁ ଶାହରୁଖ ଖାନ୍ଙ୍କ ‘ଜୱାନ୍’ (୭୫ କୋଟି) ଏବଂ ରଣବୀର ସିଂହଙ୍କ ‘ଧୁରନ୍ଧର ୨’ (୧୦୨ କୋଟି)ର ରେକର୍ଡ ଭାଙ୍ଗିବାରେ ଫିଲ୍ମଟି ସଫଳ ହୋଇନାହିଁ।
ହିନ୍ଦୀ ଭର୍ସନରେ 3D ଶୋ'କୁ ଅଧିକ ପସନ୍ଦ
ପ୍ରଥମ ଦିନରେ ହିନ୍ଦୀ ଭର୍ସନର 3D ଶୋ'ର ଅକ୍ୟୁପାନ୍ସି ୩୩.୯୬ ପ୍ରତିଶତ ରହିଥିବା ବେଳେ 2D ଶୋ'ରେ ଏହା ୨୭.୭୯ ପ୍ରତିଶତ ରହିଥିଲା। ଗୁରୁବାର କାର୍ଯ୍ୟଦିବସ ଥିବାରୁ ଦର୍ଶକଙ୍କ ଉପସ୍ଥିତି କିଛି ମାତ୍ରାରେ କମ୍ ରହିଥିବା ଅନୁମାନ କରାଯାଉଛି। ତେବେ ଦୀପାବଳି ଛୁଟି ଆରମ୍ଭ ହେବା ସହ ଆଗାମୀ ଦିନରେ ଫିଲ୍ମର ଆୟ ବଢ଼ିବା ଆଶା କରାଯାଉଛି।
୪,୦୦୦ କୋଟିରେ ନିର୍ମାଣ ହୋଇଛି ଦୁଇ ଭାଗର ରାମାୟଣ
ନୀତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା ଏବଂ ୟଶ ରାବଣ ଭୂମିକାରେ ନଜର ଆସିଛନ୍ତି। ଏହା ସହ ରକୁଲ ପ୍ରୀତ ସିଂହ, ବିବେକ ଓବରଏ, ଅରୁଣ ଗୋଭିଲ, ରବି ଦୁବେ, ଲାରା ଦତ୍ତା ଓ ସନ୍ନି ଦେଓଲଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଛନ୍ତି।
ଏହି ମହାକାବ୍ୟ ଆଧାରିତ ଫିଲ୍ମକୁ ଦୁଇଟି ଭାଗରେ ନିର୍ମାଣ କରାଯାଉଛି। ଉଭୟ ଭାଗର ମିଳିତ ବଜେଟ୍ ପ୍ରାୟ ୪,୦୦୦ କୋଟି ଟଙ୍କା ବୋଲି ରିପୋର୍ଟ ରହିଛି। ଦ୍ୱିତୀୟ ଭାଗ ୨୦୨୮ରେ ରିଲିଜ୍ ହେବାର ଯୋଜନା ରହିଛି।