ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି । ପ୍ରତିଦିନ ବାୟୁର ଗୁଣାବତ୍ତା ହ୍ରାସ ପାଉଛି । ପ୍ରଦୂଷଣ ମାତ୍ରାକୁ ଦୃଷ୍ଟିରେ ରଖି ବାୟୁ ଗୁଣାବତ୍ତା ପରିଚାଳନା ଆୟୋଗ (CAQM) ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ସ୍ୱରୂପ ଦିଲ୍ଲୀରେ ଗ୍ରାପ୍-୩ ଲାଗୁ କରିଛି । ଦିଲ୍ଲୀରେ ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବାକୁ ଗ୍ରାପ ସବ୍ କମିଟି ତୃତୀୟ ପର୍ଯ୍ୟାୟ ଗ୍ରାପ୍-୩ ଲାଗୁ କରିଛି ।
ଗ୍ରାପ୍-୩ ଲାଗୁ ହେବା ଦ୍ୱାରା ପ୍ରଦୂଷଣ ନିୟନ୍ତ୍ରଣ ନିୟମ କଡ଼ାକଡ଼ି ହୋଇଥାଏ । ଏହା ଅଧିନରେ ୯ ଟି ଆକ୍ସନ ପ୍ଲାନ୍ ପ୍ରସ୍ତୁତ ରହିଛି । ଏହା ଦ୍ୱାରା ବାୟୁକୁ ଦୂଷିତ କରୁଥିବା ନିର୍ମାଣ କାର୍ଯ୍ୟ, ପଥର ମେସିନ୍ ଏବଂ ଖନନ କାର୍ଯ୍ୟ ବନ୍ଦ ରହିବ । ଦିଲ୍ଲୀ ଏନସିଆର୍ ସହିତ ଗୁରୁଗ୍ରାମ, ଫରିଦାବାଦ, ଗାଜିୟାବାଦ ଏବଂ ଗୌତମ ବୁଦ୍ଧ ନଗରରେ ବିଏସ-୩ ପେଟ୍ରୋଲ ଏବଂ ବିଏସ୍-୪ ଡିଜେଲ ଚାଳିତ ଚାରି ଚକିଆ ଯାନ ଉପରେ କଟକଣା ଜାରି କରାଯିବ ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହ୍ରାଇବ୍ରିଡ୍ ମୋଡରେ ପାଠ ପଢ଼ାଯିବ । ସେହିପରି ସମସ୍ତ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀ ରହିବେ । ଅର୍ଥାତ୍ ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ବା ଘରେ ବସି କାମ କରିବେ । ସାଧାରଣତଃ ବାୟୁର ଗୁଣବତ୍ତା ୪୦୧ ରୁ ୪୫୦ ହେଲେ ସେତେବେଳେ ଗ୍ରାପ୍-୩ ଲାଗୁ ହୋଇଥାଏ ।
ସେପଟେ ଆଉ ଗୋଟିଏ ଦିନ ପରେ ଦୀପାବଳି ଉତ୍ସବ ପାଳନ ହେବ । ସୁପ୍ରିମକୋର୍ଟ ଦିଲ୍ଲୀରେ ବାଣ ଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି, କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ରହିଛି । ତେଣୁ ବେଆଇନ ବାଣ ବିକ୍ରି ଉପରେ ଦିଲ୍ଲୀ ପ୍ରଶାସନ କଡ଼ା ନଜର ରଖିଛି । ଘନ ଘନ ଚଢ଼ାଉ କରି ୪୧ଟି ମାମଲା ରୁଜୁ କରିବା ସହିତ ବିପୁଳ ପରିମାଣରେ ବାଣ ମଧ୍ୟ ଜବତ ହେଉଛି ।