ନୂଆଦିଲ୍ଲୀ: ପେଟ୍ରୋଲରେ ଇଥାନଲ୍ ମିଶ୍ରଣକୁ ନେଇ ଦେଶରେ ପୁଣି ଥରେ ବଡ଼ ବିବାଦ ସୃଷ୍ଟି ହୋଇଛି। ସାଧାରଣତଃ E20 ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ମିଶାଇବାର ନିୟମ ରହିଥିବା ବେଳେ କର୍ଣ୍ଣାଟକରେ ଯାଞ୍ଚ ହୋଇଥିବା କିଛି ନମୁନାରେ ଏହା ୩୧.୨ ପ୍ରତିଶତ ପର୍ଯ୍ୟନ୍ତ ଥିବା ଅଭିଯୋଗ ହୋଇଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ତୈଳ କମ୍ପାନୀଗୁଡ଼ିକର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି କର୍ଣ୍ଣାଟକ ସରକାର। ଏଥିସହ କେନ୍ଦ୍ର ସରକାରଙ୍କୁ ସ୍ପଷ୍ଟୀକରଣ ମାଗିବା ସହ ଦୋଷୀ କମ୍ପାନୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି କରାଯାଇଛି।
୬୩ଟି ନମୁନାର ଯାଞ୍ଚ
କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ରାଜ୍ୟର ୭ଟି ଜିଲ୍ଲାରୁ ପେଟ୍ରୋଲ ନମୁନା ସଂଗ୍ରହ କରାଯାଇଥିଲା। ବେଙ୍ଗାଲୁରୁ, କୋଲାର, ଚିକ୍କବଲ୍ଲାପୁର, ବେଙ୍ଗାଲୁରୁ ରୁରାଲ, ରାମନଗର, ମାଙ୍ଗାଲୁରୁ ଓ ତୁମକୁର ଅଞ୍ଚଳରୁ ଏହି ନମୁନା ନିଆଯାଇଥିଲା।ସରକାରଙ୍କ ସୂଚନା ଅନୁସାରେ, ମୋଟ ୬୩ଟି ନମୁନା ଯାଞ୍ଚ କରାଯାଇଥିବା ବେଳେ ସ୍ୱାଧୀନ ଲାବୋରେଟୋରୀରେ ପରୀକ୍ଷା ହୋଇଥିବା ୧୪ଟି ନମୁନା ମଧ୍ୟରୁ ୧୧ଟିରେ ଇଥାନଲ୍ ପରିମାଣ ୨୦ ପ୍ରତିଶତରୁ ଅଧିକ ମିଳିଥିଲା।
ଏକ ଇଣ୍ଡିଆନ୍ ଅଏଲ୍ ପମ୍ପରୁ ସଂଗୃହୀତ ନମୁନାରେ ସର୍ବାଧିକ ୩୧.୨ ପ୍ରତିଶତ ଇଥାନଲ୍ ମିଳିଥିବା ଦାବି କରାଯାଇଛି। ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମର ଏକ ପାୱାର ପେଟ୍ରୋଲ ନମୁନାରେ ୩୦.୫ ପ୍ରତିଶତ ଇଥାନଲ୍ ରହିଥିବା ଜଣାପଡ଼ିଛି। ଅନ୍ୟ କେତେକ ନମୁନାରେ BPCLର ପେଟ୍ରୋଲରେ ୨୬.୫ ପ୍ରତିଶତ ଏବଂ ନାୟାରା ଏନର୍ଜିର ପେଟ୍ରୋଲରେ ୨୬.୧ ପ୍ରତିଶତ ଇଥାନଲ୍ ଥିବା ରିପୋର୍ଟରେ ଦର୍ଶାଯାଇଛି।
ତୈଳ କମ୍ପାନୀଙ୍କ ରିପୋର୍ଟକୁ ନେଇ ପ୍ରଶ୍ନ
କର୍ଣ୍ଣାଟକ ସରକାରଙ୍କ ଅଭିଯୋଗ ଅନୁସାରେ, ପ୍ରଥମେ ପେଟ୍ରୋଲ ନମୁନାଗୁଡ଼ିକୁ ତୈଳ କମ୍ପାନୀଙ୍କ ନିଜସ୍ୱ ଲାବୋରେଟୋରୀକୁ ପଠାଯାଇଥିଲା। ହେଲେ ସେଠାରୁ ମିଳିଥିବା ରିପୋର୍ଟରେ ପେଟ୍ରୋଲରେ ଇଥାନଲ୍ର ପରିମାଣ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦିଆଯାଇନଥିଲା। ଏହାପରେ ସରକାର ବେଙ୍ଗାଲୁରୁର ଶ୍ରୀରାମ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ରେ ସ୍ୱାଧୀନ ଭାବେ ନମୁନାଗୁଡ଼ିକର ପରୀକ୍ଷା କରାଇଥିଲେ। ଏହି ପରୀକ୍ଷାରେ ଇଥାନଲ୍ର ପରିମାଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥିବା ଦାବି କରାଯାଇଛି।