ମୁମ୍ବାଇ: ନାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ୍ ଭିଡ଼ିଓକନ୍ କମ୍ପାନୀର ପୂର୍ବତନ ପ୍ରମୋଟର୍ ଏବଂ ନିର୍ଦ୍ଦେଶକ ବେଣୁଗୋପାଳ ନନ୍ଦଲାଲ ଧୂତଙ୍କୁ ଦେବାଳିଆ ଘୋଷିତ କରିଛି । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଏବଂ ସହଯୋଗୀ ବ୍ୟାଙ୍କରୁ ନେଥିବା ୧୨,୬୬୮.୦୬ କୋଟି ଟଙ୍କା ଋଣ ପରିଶୋଧ ନ କରିପାରିବାରୁ ଏନସିଏଲଟି ବେଣୁଗୋପାଳଙ୍କୁ ଦେବାଳିଆ ଘୋଷିତ କରିଛି ।
ଏନସିଏଲଟିର ମୁମ୍ବାଇ ବେଞ୍ଚ ଆଇବିସି ଧାରା ୧୨୧ ଆଧାରରେ ଏସବିଆଇର ବ୍ୟାଙ୍କ ଠକେଇ ଅଭିଯୋଗକୁ ସ୍ୱୀକାର କରିଛନ୍ତି । ୩୬ ମାସ ମଧ୍ୟରେ ୬୦୦ କୋଟି ଦେଇ ବକେୟା ଦାୟିତ୍ୱ ସମାଧାନ କରିବା ପାଇଁ ଧୂତଙ୍କ ପ୍ରସ୍ତାବକୁ ଋଣଦାତାମାନେ ପ୍ରତ୍ୟାଖ୍ୟାନ କରିବା ପରେ ଧୂତଙ୍କ ବ୍ୟକ୍ତିଗତ ଦେବାଳିଆ ସମାଧାନ ପ୍ରକ୍ରିୟା ବିଫଳ ହେବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି।
ଟ୍ରିବ୍ୟୁନାଲ୍ ଧୂତଙ୍କ ବ୍ୟକ୍ତିଗତ ସମ୍ପତ୍ତି ପରିଚାଳନା ଏବଂ ବଣ୍ଟନ କରିବା ପାଇଁ ଆଶିଷ ନାରାୟଣଙ୍କୁ ଦେବାଳିଆ ଟ୍ରଷ୍ଟି ଭାବରେ ନିଯୁକ୍ତ କରିଥିଲେ। ଏନସିଏଲଟିର ନିର୍ଦ୍ଦେଶ ଅନୁଯାୟୀ, ଧୂତଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ଏବେ ଟ୍ରଷ୍ଟିଙ୍କ ପାଖରେ ଅଛି, ଯାହାକୁ ଋଣଦାତାଙ୍କଠାରୁ ଦାବି ଆମନ୍ତ୍ରଣ କରି ଏକ ସାର୍ବଜନୀନ ନୋଟିସ୍ ଜାରି କରିବାକୁ ଏବଂ ୯୦ ଦିନ ମଧ୍ୟରେ ଟ୍ରିବ୍ୟୁନାଲ୍କୁ ଏକ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ବେଣୁଗୋପାଳ ଧୂତ ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଭିଡିଓକନ୍ ଟେଲିକମ୍ୟୁନିକେସନ୍ ଲିମିଟେଡ୍ କୁ ପ୍ରଦାନ କରାଯାଇଥିବା ଋଣ ସୁବିଧା ପାଇଁ ବ୍ୟକ୍ତିଗତ ଗ୍ୟାରେଣ୍ଟି ପ୍ରଦାନ କରିଥିଲେ। ଏସବିଆଇ ଫାଇଲିଂ ଅନୁଯାୟୀ, ସେପ୍ଟେମ୍ବର ୩୦, ୨୦୨୬ ସୁଦ୍ଧା ମୋଟ ବକେୟା ପରିମାଣ ୧୨,୬୬୮.୦୬ କୋଟି ଟଙ୍କା ହୋଇଥିଲା । ଏଥିରେ ରୂପୟା ଟର୍ମ ଲୋନ୍ ସୁବିଧା ଅଧୀନରେ ୯,୩୨୨.୧୦ କୋଟି, ଭିଡିଓକନ୍ ଟେଲିକମ୍ୟୁନିକେସନ୍ ଲିମିଟେଡ୍ ସୁବିଧା ଅଧୀନରେ ୧,୪୩୭.୭୬ କୋଟି ଏବଂ କାର୍ୟ୍ୟକାରୀ ପୁଞ୍ଜି ସୁବିଧା ଅଧୀନରେ ୧,୯୦୮.୧୯ କୋଟି ଅନ୍ତର୍ଭୁକ୍ତ।
ଭିଡିଓକନ୍ ଗ୍ରୁପ୍ କମ୍ପାନୀଗୁଡ଼ିକ ଆର୍ଥିକ ସମସ୍ୟାରେ ପଡ଼ିବା ପରେ ଋଣ ଆକାଉଣ୍ଟଗୁଡ଼ିକ ପ୍ରାରମ୍ଭିକ ଭାବରେ ଡିଫଲ୍ଟ ହୋଇଥିଲା, ଯାହା ଫଳରେ ଜୁନ୍ ୨୦୧୮ରେ ଭିଡିଓକନ୍ ଇଣ୍ଡଷ୍ଟ୍ରିଜ୍ ବିରୁଦ୍ଧରେ କର୍ପୋରେଟ୍ ଇନସଲଭେନ୍ସି ସମାଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଝଈଓ ଧୂତଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି ଆବେଦନ କରିଥିଲା ଏବଂ ବକେୟା ରାଶି ଆଦାୟ ପାଇଁ ଏନସିଏଲଟି ସହିତ ଯୋଗାଯୋଗ କରିଥିଲା। କୋର୍ଟ ଧୂତଙ୍କୁ ସାତ ଦିନ ମଧ୍ୟରେ ଦେବାଳିଆ ଟ୍ରଷ୍ଟିଙ୍କ ନିକଟରେ ତାଙ୍କର ଆର୍ଥିକ ସ୍ଥିତିର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।