ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳିକୁ ନେଇ ସାରା ଦେଶରେ ଉତ୍ସବମୁଖର ପରିବେଶ। ଗାଁଠୁ ସହର ସବୁଠି ଦୀପ, ଆଲୋକମାଳା ଓ ରଙ୍ଗୋଲିରେ ସଜେଇ ହୋଇଛି। ଏହି ଅବସରରେ ଅଯୋଧ୍ୟାରେ ଶନିବାର ପାଳନ ହେଉଛି ଦଶମ ଦୀପୋତ୍ସବ। ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ପୂର୍ବବର୍ଷଗୁଡ଼ିକ ଭଳି ଏଥର ମଧ୍ୟ ଦେଶର ବୀର ଯବାନଙ୍କ ସହ ଏହି ପର୍ବ ପାଳନ କରିବେ ବୋଲି କହିଛନ୍ତି।
ଅଯୋଧ୍ୟାରେ ୩୦ ଲକ୍ଷ ଦୀପରେ ଝଲସିଲା ସରୟୂ ତଟ
ଦୀପାବଳି ଅବସରରେ ଅଯୋଧ୍ୟାରେ ଆୟୋଜିତ ଦଶମ ଦୀପୋତ୍ସବ ଏଥର ମଧ୍ୟ ଆକର୍ଷଣର କେନ୍ଦ୍ର ପାଲଟିଛି। ସରୟୂ ନଦୀ କୂଳର ୫୬ଟି ଘାଟରେ ପ୍ରାୟ ୩୦ ଲକ୍ଷ ଦୀପ ପ୍ରଜ୍ୱଳନ କରାଯାଇଛି। ଏହା ସହ ରାମ କି ପୈଡ଼ି ଏବଂ ସରୟୂ ଘାଟରେ ଲେଜର ଶୋ' ମାଧ୍ୟମରେ ରାମାୟଣର ବିଭିନ୍ନ ଦୃଶ୍ୟ ପ୍ରଦର୍ଶିତ ହୋଇଛି।
ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପ୍ରାୟ ୨୧୦୦ ଡ୍ରୋନ୍ରେ ସ୍ୱତନ୍ତ୍ର ଶୋ' ଆୟୋଜନ କରାଯାଇଥିଲା। ଏଥିରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ମନ୍ତ୍ରୀ ଓ ଅତିଥି ଯୋଗ ଦେଇଥିଲେ।
୨୦୧୪ରୁ ଯବାନଙ୍କ ସହ ଦୀପାବଳି ପାଳୁଛନ୍ତି ମୋଦୀ
ପ୍ରଧାନମନ୍ତ୍ରୀ ମୋଦୀ ୨୦୧୪ ମସିହାରୁ ପ୍ରତିବର୍ଷ ଦେଶର ସୀମାରେ ନିୟୋଜିତ ଯବାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଛନ୍ତି। ଏହାର ଆରମ୍ଭ ସେ ୨୦୧୪ରେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚିନ୍ ବେସ୍ କ୍ୟାମ୍ପରୁ କରିଥିଲେ।
ଦେଶବାସୀଙ୍କୁ ଭିଡିଓ ବାର୍ତ୍ତାରେ ଶୁଭେଚ୍ଛା ଜଣାଇଲେ ମୋଦୀ
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ପ୍ରାୟ ୫୦ ସେକେଣ୍ଡର ଏକ ଭିଡିଓ ଜାରି କରି ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଛନ୍ତି। ପାରମ୍ପରିକ ପୋଷାକ ଓ କପାଳରେ ତିଳକ ଲଗାଇ ସେ ଦୀପୋତ୍ସବର ମହତ୍ତ୍ୱ ବିଷୟରେ କହିଛନ୍ତି।
ତାଙ୍କ କହିବା ଅନୁସାରେ, ଦୀପାବଳି କେବଳ ଆଲୋକର ପର୍ବ ନୁହେଁ, ବରଂ ଅନ୍ଧକାର ବିରୋଧରେ ଆମର ସଂକଳ୍ପର ପ୍ରତୀକ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି ସେ କାମନା କରିଛନ୍ତି।
ହ୍ୱାଇଟ୍ ହାଉସ୍ରୁ ଦୁବାଇ ପର୍ଯ୍ୟନ୍ତ ଦୀପାବଳିର ଉତ୍ସବ
ଭାରତ ସହ ବିଶ୍ୱର ବିଭିନ୍ନ ଦେଶରେ ମଧ୍ୟ ଦୀପାବଳି ପାଳନ କରାଯାଉଛି। ଅନେକ ଦେଶର ନେତା ଓ କୂଟନୈତିକ ପ୍ରତିନିଧି ଭାରତୀୟଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆମେରିକାର ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରମ୍ପରିକ ଦୀପ ପ୍ରଜ୍ୱଳନ କରି ଦୀପାବଳି ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ପ୍ରମୁଖ ଭାରତୀୟ-ଆମେରିକୀୟ ବ୍ୟକ୍ତିତ୍ୱ ସାମିଲ ହୋଇଥିଲେ। ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା ମଧ୍ୟ ଓଭାଲ୍ ଅଫିସ୍ରେ ଉପସ୍ଥିତ ଥିଲେ।