ଆଇଜଲ: ଏଣିକି ବିନା ଅନୁମତିରେ ବାଣ ଫୁଟାଇବା ମହଙ୍ଗା ପଡ଼ିବ। ଏଭଳି ନିୟମ ଉଲ୍ଲଂଘନ କଲେ ଜେଲ୍ ଦଣ୍ଡ ସହ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିପାରେ। ଆତସବାଜିର ବ୍ୟବହାର, ବିକ୍ରି ଓ ମହଜୁଦ ଉପରେ ନିୟନ୍ତ୍ରଣ ଲଗାଇବାକୁ ମିଜୋରାମ ସରକାର ଏକ କଠୋର ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅନୁସାରେ ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ମିଜୋରାମର ଗୃହମନ୍ତ୍ରୀ କେ. ସପଡାଙ୍ଗା ଶୁକ୍ରବାର ଆଇଜଲ୍ ପ୍ରେସ୍ କ୍ଲବ୍ରେ ଏହି ନୂଆ ଆଇନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, 'ମିଜୋରାମ ଆତସବାଜି ନିୟନ୍ତ୍ରଣ ଆଇନ, ୨୦୨୬' ଅନୁସାରେ ରାଜ୍ୟରେ ବାଣ ଓ ଅନ୍ୟ ଆତସବାଜିର ବ୍ୟବହାର ଉପରେ କଡ଼ା ନଜର ରଖାଯିବ।
ଜିଲ୍ଲାପାଳଙ୍କ ଅନୁମତି ବିନା ବାଣ ଫୁଟାଇବା ମନା
ନୂଆ ଆଇନ ଅନୁସାରେ, ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା କେହି ବାଣ ଫୁଟାଇ ପାରିବେ ନାହିଁ। ଏପରିକି ବିନା ଅନୁମତିରେ ଆତସବାଜି ନିଜ ପାଖରେ ରଖିବା ମଧ୍ୟ ନିଷିଦ୍ଧ କରାଯାଇଛି। ହିପରି ଆବଶ୍ୟକ ଲାଇସେନ୍ସ ନଥାଇ ବାଣ କିମ୍ବା ଏହା ସହ ଜଡ଼ିତ ସାମଗ୍ରୀ ବିକ୍ରି କରିବା ମଧ୍ୟ ନିୟମ ବିରୋଧୀ। ଏହାକୁ ବିସ୍ଫୋରକ ଆଇନ, ୧୮୮୪ ଅନୁସାରେ ମଧ୍ୟ ନିଷିଦ୍ଧ କରାଯାଇଛି।
ସାଧାରଣ ଲୋକଙ୍କ ପାଇଁ କେତେ ଜରିମାନା?
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ନୂଆ ଆଇନର ଧାରା ୩ ଓ ୪ ଉଲ୍ଲଂଘନ କରି ବିନା ଅନୁମତିରେ ବାଣ ଫୁଟାଇବା କିମ୍ବା ନିଜ ପାଖରେ ରଖିବା ଅପରାଧ। ଏଥିପାଇଁ ଦୋଷୀଙ୍କୁ ସର୍ବାଧିକ ୩ ମାସ ଜେଲ୍ କିମ୍ବା ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।ଯଦି ଏହି ନିୟମ ଭାଙ୍ଗିଥିବା ବ୍ୟକ୍ତିଙ୍କ ବୟସ ୧୨ ବର୍ଷରୁ କମ୍ ହୋଇଥାଏ, ତେବେ ତାଙ୍କ ବଦଳରେ ମାତାପିତା କିମ୍ବା ଅଭିଭାବକଙ୍କ ଉପରେ ଜରିମାନା ଲଗାଯାଇପାରିବ।
ସରକାରୀ କର୍ମଚାରୀଙ୍କ ପାଇଁ ଅଧିକ କଠୋର ଦଣ୍ଡ
ଏହି ଆଇନରେ ସରକାରୀ କର୍ମଚାରୀଙ୍କ ପାଇଁ ଅଧିକ କଠୋର ଦଣ୍ଡ ବ୍ୟବସ୍ଥା ରହିଛି। ଯଦି କୌଣସି ସରକାରୀ କର୍ମଚାରୀ ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ଆଇନ ଅନୁସାରେ ଅପରାଧଗୁଡ଼ିକୁ ସଂଜ୍ଞେୟ ଓ ଜାମିନଯୋଗ୍ୟ ଶ୍ରେଣୀରେ ରଖାଯାଇଛି। ଅର୍ଥାତ୍ ଏଭଳି ଅଭିଯୋଗରେ ପୋଲିସ ମାଜିଷ୍ଟ୍ରେଟଙ୍କ ପୂର୍ବ ଅନୁମତି ବିନା ମାମଲା ରୁଜୁ କରିପାରିବ।