ୱେଲିଂଟନ୍: ୧୩୪ ରନ କରିଥିଲା ନ୍ୟୁଜିଲାଣ୍ଡ। ଲାଗୁଥିଲା ଭାରତ ସହଜରେ ମ୍ୟାଚ୍ ଜିତି ନେବ। ହେଲେ ଛୋଟ ଟାର୍ଗେଟ୍କୁ ପିଛା କରିବାକୁ ଯାଇ ଭାରତୀୟ ଦଳର ଅବସ୍ଥା ବେହାଲ୍। ଯେଉଁ ମ୍ୟାଚ୍ରେ ବିଜୟ ସହଜ ମନେ ହେଉଥିଲା, ସେଠାରେ ଭାରତୀୟ ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲା ନ୍ୟୁଜିଲାଣ୍ଡ ବୋଲିଂ। ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଟିମ୍ ଇଣ୍ଡିଆ। ତେବେ ଶେଷରେ ବର୍ଷା ଭାରତର ସମ୍ମାନ ବଞ୍ଚାଇ ଦେଇଛି। ଡକ୍ୱର୍ଥ-ଲୁଇସ୍ ନିୟମ ଅନୁସାରେ ୪ ରନ୍ରେ ମ୍ୟାଚ୍ ଜିତି ନେଇଛି ଭାରତ। ଏହି ବିଜୟ ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ୨-୦ରେ ଆଗୁଆ ହୋଇଛି ଦଳ।
ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲା। ୪୭ ଓଭର ବିଶିଷ୍ଟ ଏହି ମ୍ୟାଚ୍ରେ କିୱି ଦଳ ୪୧ ଓଭରରେ ମାତ୍ର ୧୩୪ ରନ୍ କରି ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ଡାରିଲ ମିଚେଲ୍ ୫୫ ରନ୍ କରି ସର୍ବାଧିକ ସ୍କୋରର ହୋଇଥିବା ବେଳେ ମିଚେଲ୍ ସାଣ୍ଟନର ୩୧ ରନ୍ କରିଥିଲେ। ଅନ୍ୟ ବ୍ୟାଟରମାନେ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ।
ଭାରତ ପକ୍ଷରୁ ଗୁରନୂର ବ୍ରାର ଘାତକ ବୋଲିଂ କରି ୪ଟି ୱିକେଟ୍ ଅକ୍ତିଆର କରିଥିଲେ। ଆକିବ ନବି, ଅଂଶୁଲ କମ୍ବୋଜ ଓ ଅକ୍ଷର ପଟେଲଙ୍କୁ ମଧ୍ୟ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା। ଫଳରେ ଭାରତ ଆଗରେ ମାତ୍ର ୧୩୫ ରନ୍ର ବିଜୟ ଲକ୍ଷ୍ୟ ରହିଥିଲା।
୧୩୫ ରନ୍ର ପିଛା କରି ଭୁଶୁଡ଼ିଲା ଭାରତୀୟ ବ୍ୟାଟିଂ
ସହଜ ବିଜୟ ଲକ୍ଷ୍ୟ ଥିଲେ ମଧ୍ୟ ଭାରତୀୟ ଦଳର ଆରମ୍ଭ ଆଦୌ ଭଲ ନଥିଲା। ଅଧିନାୟକ ଶୁଭମନ ଗିଲ୍ ଖାତା ଖୋଲି ନପାରି ପ୍ୟାଭିଲିୟନ୍ ଫେରିଥିବା ବେଳେ ରୋହିତ ଶର୍ମା ୨୩ ଏବଂ ବିରାଟ କୋହଲି ମାତ୍ର ୭ ରନ୍ କରି ଆଉଟ୍ ହୋଇଥିଲେ। ମାତ୍ର ୪୭ ରନ୍ ଭିତରେ ଭାରତ ୪ଟି ୱିକେଟ୍ ହରାଇଥିଲା।
ଏଭଳି ସ୍ଥିତିରେ କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଦଳର ଦାୟିତ୍ୱ ସମ୍ଭାଳିଥିଲେ। ଉଭୟ ପଞ୍ଚମ ୱିକେଟ୍ ପାଇଁ ୪୩ ବଲ୍ରୁ ୩୯ ରନ୍ ଯୋଡ଼ି ଭାରତକୁ କିଛିଟା ଆଶ୍ୱସ୍ତି ଦେଇଥିଲେ। ତେବେ ୮୬ ରନ୍ରେ ଶ୍ରେୟସ ଆୟରଙ୍କ ୱିକେଟ୍ ପତନ ଘଟିଥିଲା। ସେ ୪୬ ବଲ୍ରେ ୪ଟି ଚୌକା ଓ ଗୋଟିଏ ଛକା ସହ ୩୦ ରନ୍ କରିଥିଲେ।
ବର୍ଷା ନ ହୋଇଥିଲେ ବଢ଼ିଥାନ୍ତା ଅଡୁଆ!
ଶ୍ରେୟସଙ୍କ ଆଉଟ୍ ପରେ ମଧ୍ୟ ଭାରତର ବିପଦ ଟଳିନଥିଲା। କେଏଲ୍ ରାହୁଲ ନମନ ଧୀରଙ୍କ ସହ ମିଶି ଷଷ୍ଠ ୱିକେଟ୍ ପାଇଁ ୨୮ ବଲ୍ରୁ ୨୨ ରନ୍ ଯୋଡ଼ିଥିଲେ। ଦଳୀୟ ସ୍କୋର ୧୦୮ ରନ୍ ହୋଇଥିବା ବେଳେ ନମନ ଧୀର ଆଉଟ୍ ହୋଇଥିଲେ। ସେ ୧୬ ବଲ୍ରୁ ୨ଟି ଚୌକା ସହ ୧୨ ରନ୍ କରିଥିଲେ।
ଏହାପରେ ୧୧୧ ରନ୍ରେ ଅଂଶୁଲ କମ୍ବୋଜ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ। ପଡ଼ିଆକୁ ଆସିଥିଲେ ଆକିବ ନବି। ଗୋଟିଏ ପଟେ ରାହୁଲ ଲଢ଼ୁଥିବା ବେଳେ ଅନ୍ୟପଟେ ଭାରତର ୱିକେଟ୍ ପତନ ଜାରି ରହିଥିଲା। ୨୬ ଓଭର ଶେଷ ସୁଦ୍ଧା ଭାରତ ୭ଟି ୱିକେଟ୍ ହରାଇ ୧୧୩ ରନ୍ କରିଥିଲା। ରାହୁଲ ୨୬ ଏବଂ ଆକିବ ନବି ୧ ରନ୍ କରି ଅପରାଜିତ ଥିଲେ।
ଭାରତକୁ ଜିତିବା ପାଇଁ ଆହୁରି ୨୨ ରନ୍ ଆବଶ୍ୟକ ଥିବା ବେଳେ ହାତରେ ୩ଟି ୱିକେଟ୍ ରହିଥିଲା। ଏତିକି ବେଳେ ବର୍ଷା ଆରମ୍ଭ ହୋଇଥିଲା। ଖେଳ ପୁଣି ଆରମ୍ଭ କରିବା ସମ୍ଭବ ହୋଇନଥିଲା। ତେବେ DLS ନିୟମ ଅନୁସାରେ ଭାରତ ଆବଶ୍ୟକ ବିଜୟ ଲକ୍ଷ୍ୟରୁ ୪ ରନ୍ ଆଗରେ ଥିବାରୁ ଦଳକୁ ବିଜୟୀ ଘୋଷଣା କରାଯାଇଥିଲା।