ଅଯୋଧ୍ୟା : ସଜେଇ ହୋଇଛି ରାମ ନଗରୀ। ଭବ୍ୟ ଦିବ୍ୟ ଦୀପୋତ୍ସବ ପାଇଁ ଜଳିଲା ୩୦ ଲକ୍ଷ । ସରଯୂ ନଦୀର ୫୬ଟି ଘାଟ ହେଲା ଆଲୋକିତ। ୫୬ଟି ଘାଟରେ ୩୦ ଲକ୍ଷରୁ ଅଧିକ ମାଟି ଦୀପ ପ୍ରଜ୍ଜ୍ୱଳିତ ହୋଇ ନୂଆ ଗିନିଜ୍ ଓ୍ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଏକକାଳୀନ ମହା ଆଳତୀ କଲେ ୨,୧୪୭ ପୁରୋହିତ।
ସମ୍ପୂର୍ଣ୍ଣ ଅଯୋଧ୍ୟା ସହର, ବିଶେଷ କରି ଶ୍ରୀରାମ ଜନ୍ମଭୂମି ମନ୍ଦିର ଏବଂ ରାମ କୀ ପୈଢ଼ି ରଙ୍ଗବେରଙ୍ଗର ଆଲୋକ ଓ ଦୀପର ଶିଖାରେ ଝଲସି ଉଠିଛି।
ଏହି ଅବସରରେ ଲେଜର ଶୋ', ଡ୍ରୋନ୍ ଶୋ' ଏବଂ ଶ୍ରୀରାମଙ୍କ ଜୀବନୀ ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି। ୨୧୦୦ରୁ ଅଧିକ ଡ୍ରୋନ୍ ଶୋ ଦେଖୁଛନ୍ତି ଶ୍ରଦ୍ଧାଳୁ। ହଜାର ହଜାର ସ୍ବେଚ୍ଛାସେବୀ, ଶ୍ରଦ୍ଧାଳୁ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ପ୍ରୟାସରେ ଏହି ବିଶାଳ ଆୟୋଜନ ସଫଳ ହୋଇପାରିଛି। ୟୁପି ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିଛନ୍ତି।
ଏହି ଦୀପୋତ୍ସବ କେବଳ ଏକ ପର୍ବ ନୁହେଁ, ବରଂ ଏହା ଅଯୋଧ୍ୟାର ଗୌରବ ଓ ଆଧ୍ୟାତ୍ମିକତାର ଏକ ମହାନ ପ୍ରତୀକ ପାଲଟିଛି।
ପୌରାଣିକ କଥା ଅନୁସାରେ, ଲଙ୍କାରେ ରାବଣକୁ ପରାସ୍ତ କରିବା ପରେ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଲକ୍ଷ୍ମଣ ଅଯୋଧ୍ୟା ଫେରିଥିଲେ। ଦୀର୍ଘ ୧୪ ବର୍ଷର ବନବାସ ପରେ ରାମଙ୍କ ପ୍ରତ୍ୟାବର୍ତ୍ତନକୁ ଅଯୋଧ୍ୟାବାସୀ ଦୀପ ଜାଳି ସ୍ୱାଗତ କରିଥିବା ବିଶ୍ୱାସ ରହିଛି। ସେହି ପରମ୍ପରାକୁ ମନେ ପକାଇ ପ୍ରତିବର୍ଷ ଦୀପାବଳି ଅବସରରେ ଅଯୋଧ୍ୟାରେ ଦୀପୋତ୍ସବ ପାଳନ କରାଯାଏ।