କେନ୍ଦୁଝର: ନିଜ ଜନ୍ମମାଟି ରାଇକଳା କୁ ଦୀପାବଳି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଇକଳାରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୧୮ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି । ଏହି ତିନୋଟି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲା ଏବଂ ମୟୁରଭଞ୍ଜ ଜିଲ୍ଲାର ୪୬ଟି ଗାଁର ପ୍ରାୟ ୨୮ ହଜାର ଚାଷୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି କେନ୍ଦୁଝର ଜିଲ୍ଲା ଗସ୍ତର ୩ୟ ଦିନରେ ଝୁମ୍ପୁରା ରେ ୧୭ କୋଟି ୯୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ କରିଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସାଧାରଣ ବହିର୍ବିଭାଗ ଏବଂ ଅନ୍ତଃବିଭାଗ ଚିକିତ୍ସା, ବିଶେଷଜ୍ଞ ଡାକ୍ତରଙ୍କ ସେବା ସହିତ ପରୀକ୍ଷାଗାର ସୁବିଧା ସହ ଔଷଧ ଉପଲବ୍ଧ ହେବ। ଏଥିସହ ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା, ଆମ୍ବୁଲାନ୍ସ ସେବା, ଟୀକାକରଣ, ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ପରିବାର ନିୟୋଜନ ସେବା ଓ ଏକ୍ସ-ରେ ସୁବିଧା ମଧ୍ୟ ଉପଲବ୍ଧ ହେବ। ଏହି ନୂତନ ଭବନ ନିର୍ମାଣ ହେବା ଫଳରେ ଝୁମ୍ପୁରା ସମେତ ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇପାରିବେ।
ଏଥିସହ ରାଇକଳାରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ୧୧୮ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ୩ଟି ମେଗା ଉଠା ଜଳସେଚନ ପ୍ରକଳ୍ପର ଭୂମିପୂଜନ ଓ ଶିଳାନ୍ୟାସ କରିଛନ୍ତି । ଏହି ତିନୋଟି ପ୍ରକଳ୍ପ ଦ୍ୱାରା କେନ୍ଦୁଝର ଜିଲ୍ଲା ଏବଂ ମୟୁରଭଞ୍ଜ ଜିଲ୍ଲାର ୪୬ଟି ଗାଁର ପ୍ରାୟ ୨୮ ହଜାର ଚାଷୀ ଉପକୃତ ହେବେ । କେନ୍ଦୁଝର ଜିଲ୍ଲାର ରାଇକଳା ଏବଂ ସତୀକୁଦର ଏବଂ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳର ଜାରକାଣି ଠାରେ ଏହି ଉଠା ଜଳସେଚନ ପ୍ରକଳ୍ପ ନିର୍ମିତ ହେବ । ଏହାଦ୍ୱାରା ଚାଷଜମିକୁ ଜଳସେଚନ ସୁବିଧା ମିଳିବା ସହ ଚାଷୀମାନେ ବର୍ଷକୁ ୨ ରୁ ୩ଥର ଫସଲ କରିପାରିବ । ଏହାପରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମମାଟି ରାଇକଳା କୁ ଯାଇ ସେଠାରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ନୂତନ ଶାଖା ଉଦ୍ଘାଟନ କରିଛନ୍ତି । ଏହି ଶାଖାରୁ ସ୍ଥାନୀୟ ଚାଷୀମାନେ ଚାଷଋଣ ପାଇବା ସହ, ସାଧାରଣ ଲୋକେ ମଧ୍ୟ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହାପରେ ରାଇକଳାଠାରେ ଆୟୋଜିତ ଏକ ବିଶାଳ ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି । କେନ୍ଦୁଝର ଜିଲ୍ଲାର କାନପୁର ବୃହତ ଜଳସେଚନ ପ୍ରକଳ୍ପ ଆସନ୍ତା ଡିସେମ୍ବର ମାସରେ ଲୋକାର୍ପିତ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ନିଜେ ହଳ ଧରିଛି । ରୁଆ, ବିହୁଡ଼ା କରିଛି । ବର୍ଷା ଭଲ ନହେଲେ, ସେବର୍ଷ ଚାଷ ଭଲ ହୁଏ ନାହିଁ । ଘର ଚଳିବା ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଏ । ତେଣୁ କିଭଳି ଭାବେ ନିଜ ଅଞ୍ଚଳର ଜମି ଜଳସେଚିତ ହେବ, ସେନେଇ ସେବେ ଚିନ୍ତା କରୁଥିଲି । ହେଲେ, କେବେବି ଚିନ୍ତା କରି ପାରି ନଥିଲି ଯେ, ନିଜ ଅଞ୍ଚଳ ପାଇଁ ଯାହା ଦିନେ ସ୍ୱପ୍ନ ଦେଖିଥିଲି, ତାହା ଦିନେ ନିଜ ହାତରେ ହିଁ ପୂରଣ ହେବ । ଆସନ୍ତା ୫ ବର୍ଷ ଭିତରେ ଓଡ଼ିଶାରେ ୧୫ ଲକ୍ଷ ହେକ୍ଟର ଚାଷ ଜମି ଜଳସେଚିତ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଚାଷୀ ସମୃଦ୍ଧ ହେଲେ, ସମଗ୍ର ଓଡ଼ିଶା ସମୃଦ୍ଧ ହେବ ବୋଲି ସେ କହିଥିଲେ ।