ନୟାଗଡ଼: ବାପାଙ୍କ ମୃତଦେହକୁ ଧରି ଶେଷକୃତ୍ୟ ପାଇଁ ଗାଁକୁ ଫେରୁଥିଲା ପୁଅ। ହେଲେ ଅଧା ବାଟରେ ଘଟିଗଲା ଅଘଟଣ। ମୃତଦେହ ନେଇ ଯାଉଥିବା ଘରୋଇ ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ୩ ଜଣଙ୍କ ଜୀବନ। ଅନ୍ୟପଟେ ମୃତକଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲାର ଶାଳଭଙ୍ଗା ଜଙ୍ଗଲ ନିକଟରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥରେ ଏହି ହୃଦୟବିଦାରକ ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳର ଈଶ୍ୱର ସାହୁଙ୍କ ମୃତଦେହକୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରରୁ ତାଙ୍କ ଗାଁକୁ ନିଆଯାଉଥିଲା। ଆମ୍ବୁଲାନ୍ସରେ ଡ୍ରାଇଭରଙ୍କ ସମେତ ଈଶ୍ୱରଙ୍କ ପୁଅ ରାଜୁ ସାହୁ ଏବଂ ତାଙ୍କର ଦୁଇ ବନ୍ଧୁ ପ୍ରତାପ ବାଗ ଓ ଶୀର୍ଷ ବାଗ ଯାତ୍ରା କରୁଥିଲେ। ତେବେ ସନ୍ଧ୍ୟା ସମୟରେ ଶାଳଭଙ୍ଗା ଜଙ୍ଗଲ ରାସ୍ତା ଦେଇ ଆମ୍ବୁଲାନ୍ସଟି ଯାଉଥିବା ବେଳେ ଏକ କଲଭର୍ଟ ନିକଟରେ ନିୟନ୍ତ୍ରଣ ହରାଇ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡ଼ି ଭିତରେ ଥିବା ଯାତ୍ରୀମାନେ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ବାଣିଗୋଛା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା। ପରେ ଆହତମାନଙ୍କୁ ଦଶପଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହ ପ୍ରତାପ ବାଗ ଓ ଶୀର୍ଷ ବାଗ ରହିଛନ୍ତି। ଏପର୍ଯ୍ୟନ୍ତ ଡ୍ରାଇଭରଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ରାଜୁ ସାହୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ବାପାଙ୍କ ମୃତଦେହ ସହ ଗାଁକୁ ଫେରୁଥିବା ପୁଅ ନିଜେ ଏବେ ମୃତ୍ୟୁ ସହ ସଂଘର୍ଷ କରୁଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଉଛି।