ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ୭୬ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍–୨୦୨୬ର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନସିପ୍କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଚାମ୍ପିୟନସିପ୍ରେ ରାଜ୍ୟର ବିଭିନ୍ନ ରେଞ୍ଜ ଓ ବାଟାଲିୟନରୁ ୧୮ଟି ପୋଲିସ ଦଳର ୩୬୦ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ପ୍ରତିଯୋଗିତା ଆସନ୍ତା ୨୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।
ଏହି ଅବସରରେ ପ୍ରକାଶ ମିଶ୍ର କହିଛନ୍ତି ଯେ ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଅତୁଳନୀୟ। ଭାରତୀୟ ହକି ଟିମ୍କୁ ରାଜ୍ୟ ସରକାରଙ୍କ ନିରନ୍ତର ପୃଷ୍ଠପୋଷକତା ଜାରି ରହିଛି। ଭାରତୀୟ ଜାତୀୟ ହକି ଟିମ୍ର ଜର୍ସିରେ ‘ଓଡ଼ିଶା’ ଲେଖାଯିବା ରାଜ୍ୟବାସୀଙ୍କ ପାଇଁ ଗୌରବର ବିଷୟ । ଏଭଳି କ୍ରୀଡ଼ା ପ୍ରତିଯୋଗିତା ପୋଲିସ ବିଭାଗରେ କାର୍ଯ୍ୟରତ କ୍ରୀଡ଼ାବିତମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବ ବୃଦ୍ଧି କରିବା ସହ ଅନୁଶାସନ ଏବଂ କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବକୁ ସୁଦୃଢ଼ କରିଥାଏ। ବିଭିନ୍ନ ଜିଲ୍ଲା, ରେଞ୍ଜ ଓ ବାଟାଲିୟନର ଖେଳାଳିମାନେ ଏକାଠି ଅଂଶଗ୍ରହଣ କରିବା ଦ୍ୱାରା ପୋଲିସ ବିଭାଗ ମଧ୍ୟରେ ସମନ୍ୱୟ ଓ ସହଯୋଗର ଭାବନା ଆହୁରି ଦୃଢ଼ ହେବ ବୋଲି ସେ କହିଥିଲେ।
ଚାମ୍ପିୟନସିପ୍ର ପ୍ରଥମ ଦିନରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ କମିଶନରେଟ୍–ବି ୬–୦ ଗୋଲ୍ରେ କୋରାପୁଟ ଜିଲ୍ଲାକୁ ପରାସ୍ତ କରିଥିଲା। ସେହିପରି ବ୍ରହ୍ମପୁର ଜିଲ୍ଲା ୩–୧ ଗୋଲ୍ରେ ଓଏସ୍ଏପି ୮ମ ବାଟାଲିୟନ୍, ଛତ୍ରପୁରକୁ ପରାସ୍ତ କରିଥିଲା। ଅନ୍ୟ ଏକ ମ୍ୟାଚ୍ରେ ୪ର୍ଥ ଆଇଆର୍ ବାଟାଲିୟନ୍, ଦେବଗଡ଼ ପେନାଲ୍ଟି ସୁଟ୍ଆଉଟ୍ରେ ୪–୨ ଗୋଲ୍ରେ ଓଏସ୍ଏପି ୩ୟ ବାଟାଲିୟନ୍, କୋରାପୁଟକୁ ପରାସ୍ତ କରିଥିବା ବେଳେ ଓଏସ୍ଏପି ୪ର୍ଥ ବାଟାଲିୟନ୍, ରାଉରକେଲା ୪–୦ ଗୋଲ୍ରେ ଓଆଇଏସ୍ଏଫ୍, ଭୁବନେଶ୍ୱରକୁ ପରାସ୍ତ କରିଥିଲା।
ଉଦଘାଟନୀ ସମାରୋହରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ଆଇନ ଓ ଶୃଙ୍ଖଳାଶ୍ରୀ ସଞ୍ଜୟ କୁମାର, ପୋଲିସ କମିଶନର, ଭୁବନେଶ୍ୱର–କଟକ ଡ଼ା. ଏସ୍. ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସ୍ଏପି) ରାଜେଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ, ମୁଖ୍ୟାଳୟ ପ୍ରତୀକ ମହାନ୍ତି, ଆଇଜିପି ପ୍ରବୀଣ କୁମାର, ଭୁବନେଶ୍ୱର–କଟକ ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଭୁବନେଶ୍ୱର–କଟକ ଆଇଜିପି ଡ଼ା. ସାର୍ଥକ ଷଡ଼ଙ୍ଗୀ, ପ୍ରୋଭିଜନିଂ ଆଇଜିପି ନୀତି ଶେଖର, କେନ୍ଦ୍ରାଞ୍ଚଳ ଆଇଜିପି ଡ଼ା. ସତ୍ୟଜିତ ନାଏକ, ସପ୍ତମ ବାଟାଲିୟନ୍ କମାଣ୍ଡାଣ୍ଟ ପ୍ରଫୁଲ୍ଲ ସିଂ, ଡେପୁଟି କମାଣ୍ଡାଣ୍ଟ ଅଦୈତ ପ୍ରଧାନ, ରାଜ୍ୟ ପୋଲିସ ମୁଖ୍ୟାଳୟର କ୍ରୀଡ଼ା ଅଧିକାରୀ ନୀଳମାଧବ ସ୍ୱାଇଁଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।