ନୂଆଦିଲ୍ଲୀ: ଆଜିଠାରୁ ଜାପାନର ଆଇଚି-ନାଗୋୟାଠାରେ ଏସୀୟ କ୍ରୀଡ଼ା ପ୍ରତିଯୋଗିତା-୨୦୨୬ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଛି ଆଇଚି ନାଗୋୟା । ଭାରତୀୟ ଦଳ ପକ୍ଷରୁ ଅଲିମ୍ପିକ୍ ବିଜେତା ମନୁ ଭାକର ଓ ହକି ଖେଳାଳି ପବନ ସେହରାୱତଙ୍କୁ ଧ୍ୱଜାବାହକଭାବେ ତ୍ରିରଙ୍ଗା ଧରି ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।
ମନୁ ଭାକର ଧ୍ୱଜାବାହାକ ହେବା ପରେ ନିଜ ଗୁରୁଙ୍କୁ ମନେ ପକାଇ ବହୁତ ଭାବୁକ ହୋଇପଡ଼ିଛନ୍ତି । ସେ କହିଛନ୍ତି ଯେ ଜସପାଲ ସାର୍ଙ୍କୁ ଖୁବ୍ ମନେ ପକାଉଥିଲେ। ତାଙ୍କ ଅନୁପସ୍ଥିତି ଦିନଟିକୁ ପ୍ରକୃତରେ ଭାବପ୍ରବଣ କରିଦେଇଥିଲା। ୪୯ ବର୍ଷ ବୟସରେ ଜୁନ୍ ୧୨ ତାରିଖରେ ପ୍ରଖ୍ୟାତ ସୁଟର୍ ତଥା କୋଚ୍ ଜସପାଲ ରାଣାଙ୍କ ଦେହାନ୍ତ ହୋଇଥିଲା । ମନୁଙ୍କ କ୍ୟାରିୟରରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଏବଂ ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ଜିତିବାରେ ତାଙ୍କୁ ମାର୍ଗଦର୍ଶନ କରିଥିଲେ।
ଭାରତରୁ ୩୫ଟି କ୍ରୀଡ଼ା ବିଭାଗରେ ପ୍ରାୟ ୪୯୯ ଖେଳାଳି ଅଂଶଗ୍ରହଣ କରିବେ । ଯେଉଁଥିରେ ୨୬୭ ଜଣ ପୁରୁଷ ଏବଂ ୨୩୨ ଜଣ ମହିଳା କ୍ରୀଡ଼ାବିତ ସାମିଲ ଅଛନ୍ତି । ଏହା ଅକ୍ଟୋବର ୪, ୨୦୨୬ ଯାଏ ଚାଲିବ । ଭାରତୀୟ ମହିଳା କ୍ରିକେଟ ଟିମ୍ ସେମି ଫାଇନାଲରେ ପ୍ରବେଶ କରିସାରିଛି ।
ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ ।
ଟେକବଲରେ ମହିଳା ଏକକ ଓ ମିଶ୍ରିତ ଡବଲ୍ସରେ ବ୍ରୋଞ୍ଚ ପଦକ ପାଇଁ ଭାରତୀୟ ଖେଳାଳି ପ୍ରତିଦ୍ୱନ୍ଦିତା କରିବେ । ହକିରେ ମହିଳା ପୁଲ୍ ବି ମ୍ୟାଚରେ ଉଜବେକିସ୍ତାନ ଏବଂ ପୁଲ୍ ଏରେ ପୁରୁଷ ଦଳ ଇଣ୍ଡୋନେସିଆକୁ ଭେଟିବ । ସେହିପରି ଟେବୁଲ୍ ଟେନିସରେ ଉଭୟ ମହିଳା ଓ ପୁରୁଷ ଦଳଗତ ମ୍ୟାଚ୍ ଅନୁଷ୍ଠିତ ହେବ । ବ୍ୟାଡମିଣ୍ଟନ ମହିଳା ଦଳଗତରେ କାଜାଖସ୍ତାନ ସହିତ ମୁକାବିଲା କରିବ ।