ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା-୨୦୨୬ ପ୍ରତିଯୋଗିତାରେ ମିକ୍ସଡ୍ ମାର୍ଶଲ୍ ଆର୍ଟରେ ଭାରତୀୟ ଖେଳାଳି ସୁଚିକା ତାରିୟଲ ଐତିହାସିକ କାଂସ୍ୟ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରିଥିବାବେଳେ ସୁଚିକା ପ୍ରଥମ କ୍ରୀଡ଼ାବିତ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ମ୍ୟାଚ୍ ଡ୍ର ରହିବା ପରେ ସୁଚିକା କାଂସ୍ୟ ପଦକ ଜିତିଥିବାବେଳେ ସେ ଫାଇନାଲକୁ ଯାଇପାରି ନାହାଁନ୍ତି ।
ଏମଏମଏର ୬୦ କିଲୋଗ୍ରାମ ବର୍ଗରେ ସୁଚିକା ସେମିଫାଇନାଲରେ ସିଙ୍ଗାପୁର ଟେଓ ହୁଇ ହୁନଙ୍କ ସହିତ ମୁକାବିଲା କରିଥାଆନ୍ତେ । ମ୍ୟାଚର ଆରମ୍ଭରୁ ଟେଓଙ୍କ ସପକ୍ଷରେ ବିଚାରକ ମଣ୍ଡଳୀଙ୍କ ନିର୍ଣ୍ଣୟ ଯାଇଥିଲା । ଏହା ପରେ ଭାରତ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଥିଲେ । ଏଥିପାଇଁ ଏମ୍ଏମ୍ଏ ଫେଡରସନ୍ ପକ୍ଷରୁ ୧୦୦୦ ଆମେରିକା ଡଲାର୍ ଶୁଳ୍କ ଜମା କରାଯାଇଥିଲା । ଏହା ପରେ ମ୍ୟାଚର ଭିଡ଼ିଓ ଫୁଟେଜକୁ ଯାଞ୍ଚ କରାଯାଇଥିଲା । ମ୍ୟାଚ୍ ବେଳେ ମାତ୍ର ୩ ଜଣ ବିଚରପତି ଉପସ୍ଥିତ ରହିବାର ନିୟମ ଥିବାବେଳେ ଭିଡ଼ିଓ ଯାଞ୍ଚ ବେଳେ ୧୦ ଜଣ ବିଚାରପତି ତାହାକୁ ଯାଞ୍ଚ କରନ୍ତି । ଶେଷରେ ବିଚାରପତି ଉକ୍ତ ମ୍ୟାଚକୁ ଡ୍ର ଘୋଷଣା କରିଥିଲେ ।
କିନ୍ତୁ ଜଣେ ଖେଳାଳିଙ୍କୁ ଫାଇନାଲ ମୁକାବିଲାକୁ ପଠାଇବାକୁ ସେମାନଙ୍କ ଓଜନ ମାପ କରାଯାଇଥିଲା । ଓଜନ ଅନୁସାରେ ଯେଉଁ ଖେଳାଳିଙ୍କର କମ୍ ଓଜନ ରହିବ ତାକୁ ବିଜେତା ବୋଲି ବିବେଚନା କରାଯିବ । ଯେଉଁଥିରେ ପୁଣି ଥରେ ସୁଚିକାଙ୍କୁ ଝଟକା ଲାଗିଥିଲା । ସୁଚିକା ସିଙ୍ଗାପୁର ଖେଳାଳିଙ୍କଠାରୁ ୭୦୦ ଗ୍ରାମ ଓଜନ ଅଧିକ ଥିବାରୁ ତାଙ୍କ ଫାଇନାଲ ମୁକାବିଲାରୁ ବାଦ ଦିଆଯାଇଥିଲା । ଶେଷରେ ସୁଚିକାଙ୍କୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ସୁଚିକା ଅତ୍ୟନ୍ତ ଦୁଃଖିତ ହୋଇଯାଇଥିବା ଦେଖିବାକୁ ମିଳିଛି ।
ସୁଚିକା ହରିୟାଣା ରୋହତକର ବାସିନ୍ଦା ଅଟନ୍ତି । ମାତ୍ର ୧୨ ବର୍ଷ ବୟସରୁ ସେ ଜୁଡ଼ୋ ଖେଳିବା ଆରମ୍ଭ କରିଥିଲେ । ତାଙ୍କ ସହିତ ଏକ ଅସଦାଚରଣ ଘଟିବା ପରେ ସେ ଆତ୍ମରକ୍ଷା ପାଇଁ ଜୁଡ଼ୋ ତାଲିମ ନେଇଥିଲେ । ଏହା ପରେ ସେ ୮ ଥର ଜାତୀୟ ସ୍ତରରେ ଜୁଡ଼ୋ ଚାମ୍ପିଅନ୍ ହୋଇଛନ୍ତି । ୨୦୧୯ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ସେ ୨୦ରୁ ଅଧିକ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶ ଗ୍ରହଣ କରିଛନ୍ତି । ସେ ୨୦୧୭ ମସିହାରେ ମିକ୍ସଡ୍ ମାର୍ଶଲ୍ ଆର୍ଟରେ ପାଦ ଦେଇଥିଲେ ।