ଭୁବନେଶ୍ୱର: ବର୍ଦିରେ ଥାଇ ଆଉ ସୋସିଆଲ ମିଡିଆରେ ଫଟୋ କିମ୍ବା ଭିଡିଓ ପୋଷ୍ଟ କରିପାରିବେନି ପୁଲିସ କର୍ମଚାରୀ। ପୁଲିସ କର୍ମଚାରୀଙ୍କ ସୋସିଆଲ ମିଡିଆ ବ୍ୟବହାରକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ଜାରି ହୋଇଛି କଡ଼ା ମାର୍ଗଦର୍ଶିକା। ବର୍ଦି ପିନ୍ଧି ଫଟୋ ଉଠାଇବା, ରିଲ୍ସ କରିବା କିମ୍ବା ବ୍ଲଗ୍ ତିଆରି କରିବା ଉପରେ କଟକଣା ଲଗାଯାଇଛି।
ସାମ୍ପ୍ରତିକ ସମୟରେ କିଛି ପୁଲିସ କର୍ମଚାରୀ ବର୍ଦିରେ ଥାଇ ନିଜର ଡ୍ୟୁଟି, ନିୟୋଜନ ଓ କାର୍ଯ୍ୟସ୍ଥଳ ସମ୍ପର୍କିତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବା ଦେଖାଯାଉଛି। ଏଭଳି ପୋଷ୍ଟ ମାଧ୍ୟମରେ ଅଜାଣତରେ ସମ୍ବେଦନଶୀଳ ସ୍ଥାନ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ତଥ୍ୟ ସର୍ବସାଧାରଣଙ୍କ ନଜରକୁ ଆସିବାର ଆଶଙ୍କା ରହିଛି। ଏହା ସୁରକ୍ଷା ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଏହାକୁ ଦୃଷ୍ଟିରେ ରଖି ବର୍ଦିରେ ଥାଇ ସୋସିଆଲ ମିଡିଆରେ ଫଟୋ, ଭିଡିଓ ପୋଷ୍ଟ ଉପରେ କଟକଣା ଲଗାଯାଇଛି। ଏଥିସହ କର୍ତ୍ତବ୍ୟରତ ସେଣ୍ଟ୍ରି ବା ପ୍ରହରୀଙ୍କୁ ଡ୍ୟୁଟି ସମୟରେ ମୋବାଇଲ ଫୋନ୍ ବ୍ୟବହାର କରିବାକୁ ମଧ୍ୟ କଡ଼ାକଡ଼ି ଭାବେ ବାରଣ କରାଯାଇଛି।
ଲୋକ ଭବନ, ଲୋକସେବା ଭବନ, ଶ୍ରୀଲିଙ୍ଗରାଜ ମନ୍ଦିର, ଓଡ଼ିଶା ବିଧାନସଭା, ଓଡ଼ିଶା ହାଇକୋର୍ଟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଅସ୍ତ୍ରାଗାର ସମେତ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ପୁଲିସ କର୍ମଚାରୀ ବିନା ଅନୁମତିରେ କୌଣସି ଇଲେକ୍ଟ୍ରୋନିକ୍ ଉପକରଣରେ ଫଟୋ କିମ୍ବା ଭିଡିଓ ରେକର୍ଡ କରିପାରିବେନି।
ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ଅଧିକାରୀମାନେ ଏଭଳି କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିବେ। ଗାଇଡ୍ଲାଇନ୍ ଉଲ୍ଲଂଘନକୁ ଗୁରୁତର ଭାବେ ନିଆଯିବ ଏବଂ ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂଙ୍କ ଦସ୍ତଖତ ସମ୍ବଳିତ ବିଜ୍ଞପ୍ତିରେ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।