ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ ଜେଲ ନଂ ୧୦ରେ ସୋମବାର ରକ୍ତାକ୍ତ ସଂଘର୍ଷ ହୋଇଛି । ଏକ ଧାରୁଆ ଅସ୍ତ୍ର ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ପ୍ରଦୀପ ଓରଫ୍ ମୋହିନ୍ଦର (୩୧) ଭାବେ ଚିହ୍ନଟ କରାଯାଇଛି । ସେ ଅସ୍ତ୍ରଶସ୍ତ୍ର ଆଇନ ଅଧୀନରେ ଏକ ମାମଲାରେ ଜେଲରେ ଥିଲେ।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ୧୨ଟା ସମୟରେ କୌଣସି କାରଣକୁ ନେଇ ପ୍ରଦୀପଙ୍କର ଅନ୍ୟ କଏଦୀଙ୍କ ସହିତ ବଚସା ହୋଇଥିଲା । ଏହା ପରେ ସେମାନେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ପ୍ରଦୀପଙ୍କ ଉପରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପ୍ରଦୀପଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁକେଶ, ଭୋଲା ଏବଂ ହରିଶ ନାମକ କଏଦୀମାନଙ୍କୁ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ କରାଯାଇଛି ।
ପ୍ରଦୀପ ଜେଲ୍ ଭିତରେ ତମ୍ବାଖୁ ବିକ୍ରି କରୁଥିଲା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ସେ ଆଜି ନିଜ ସେଲକୁ ଫେରୁଥିବା ସମୟରେ ଅପର ଗୋଷ୍ଠୀ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏକ ଧାରୁଆ ଛୁରୀରେ ପ୍ରଦୀପର ବେକକୁ କାଟି ଦେଇଥିଲେ । ଯଦ୍ୱାରା ତାର ମୃତ୍ୟୁ ହୋଇଥିଲା ।
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ବରିଷ୍ଠ ଜେଲ୍ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଜେଲରେ ପହଁଚି ଯାଞ୍ଚ ଆରମ୍ଭ କରିଛି । କାହିଁକି ହତ୍ୟାକାଣ୍ଡ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ବାହାରକୁ ଆସିନାହିଁ । କଏଦୀମାନଙ୍କ ମଧ୍ୟରେ ପୂର୍ବରୁ କୌଣସି ବିବାଦ ଥିଲା କି ନାହିଁ, ସେନେଇ ମଧ୍ୟ କର୍ତ୍ତୃପକ୍ଷ ତଦନ୍ତ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ, ଏହି ଘଟଣାକୁ କୌଣସି 'ଗ୍ୟାଙ୍ଗ୍ ୱାର୍' ସହିତ ଯୋଡ଼ା ଯାଉନାହିଁ। ଜେଲ୍ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ଏବଂ କଏଦୀମାନଙ୍କ କାର୍ଯ୍ୟକଳାପର ସମୀକ୍ଷା ମଧ୍ୟ ଆରମ୍ଭ କରିଛି।