ନୂଆଦିଲ୍ଲୀ: ଓଡ଼ିଶାର ନୂଆ ପୁଲିସ ଡିଜି ଚୟନ ପ୍ରକ୍ରିୟାକୁ ନେଇ ଚାଲିଥିବା ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ତେବେ ଦିନର ଶୁଣାଣିରେ ମାମଲାର ଯୁକ୍ତିତର୍କ ଶେଷ ହୋଇନଥିବାରୁ ଶୁଣାଣିକୁ ବୁଧବାର ପର୍ଯ୍ୟନ୍ତ ଜାରି ରଖାଯାଇଛି।
ଓଡ଼ିଶାର ସ୍ଥାୟୀ DGP ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର କେଉଁ IPS ଅଧିକାରୀଙ୍କ ନାଁ UPSC ପ୍ୟାନେଲ ପାଇଁ ପଠାଇଛନ୍ତି ଏବଂ ପରବର୍ତ୍ତୀ ସମୟରେ ସେହି ତାଲିକାରେ କି ପରିବର୍ତ୍ତନ ହୋଇଛି, ତାହାକୁ ନେଇ କୋର୍ଟରେ ପ୍ରଶ୍ନ ଉଠିଛି। ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ପକ୍ଷରୁ ଏମ୍ପାନେଲମେଣ୍ଟ ଓ ଯୋଗ୍ୟତା ତାଲିକାକୁ ନେଇ ବିଭିନ୍ନ ପ୍ରସଙ୍ଗ ଉଠାଯାଇଛି।
ବିଶେଷକରି ବରିଷ୍ଠ IPS ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଯୋଗ୍ୟତା ତାଲିକାରୁ ବାଦ ଦେବା ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିଛି। ତାଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହାସହ ପ୍ରାରମ୍ଭିକ ତାଲିକା UPSCକୁ ପଠାଯିବା ପରେ DGP ରାଙ୍କକୁ ପଦୋନ୍ନତି ପାଇଥିବା ଦୁଇ ଅଧିକାରୀଙ୍କୁ ପରବର୍ତ୍ତୀ ସମୟରେ ଚୟନ ପ୍ରକ୍ରିୟାରେ ସାମିଲ କରାଯିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଏହି ମାମଲାରେ ୨୦୦୬ ମସିହାର Prakash Singh ବନାମ Union of India ରାୟରେ ସୁପ୍ରିମକୋର୍ଟ ଦେଇଥିବା ପୁଲିସ ସଂସ୍କାର ନିର୍ଦ୍ଦେଶନାମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟର ପୁଲିସ ମୁଖ୍ୟ ଚୟନ ପାଇଁ UPSC ଦ୍ୱାରା ଯୋଗ୍ୟ ଓ ବରିଷ୍ଠ IPS ଅଧିକାରୀଙ୍କ ମଧ୍ୟରୁ ପ୍ୟାନେଲ ପ୍ରସ୍ତୁତ କରିବାର ବ୍ୟବସ୍ଥା ରହିଛି।
ସେପ୍ଟେମ୍ବର ୨୨ର ଶୁଣାଣିରେ ତାଲିକା ପରିବର୍ତ୍ତନ, ଅଧିକାରୀଙ୍କ ଯୋଗ୍ୟତା ଏବଂ ଇଣ୍ଟେଗ୍ରିଟି ସାର୍ଟିଫିକେଟ୍ ସମ୍ପର୍କିତ ପ୍ରସଙ୍ଗ ଉପରେ ଯୁକ୍ତିତର୍କ ହୋଇଥିବା ବେଳେ ମାମଲାର ଶୁଣାଣି ଆସନ୍ତାକାଲି ମଧ୍ୟ ଜାରି ରହିବ। ତେଣୁ ଓଡ଼ିଶାର ସ୍ଥାୟୀ DGP ନିଯୁକ୍ତି ପ୍ରକ୍ରିୟା ନେଇ ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟର ପରବର୍ତ୍ତୀ ଶୁଣାଣି ଉପରେ ରହିଛି।